ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଥାନା ଅଧୀନ ସ୍ୱସ୍ତି ନଗର ଅଞ୍ଚଳରେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ନୃଶଂସ ସ୍ୱାମୀ। ସ୍ତ୍ରୀର ତଣ୍ଟି କାଟି ବିଭତ୍ସ ହତ୍ୟା କରିଛି ସ୍ୱାମୀ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମୃତ ମହିଳା ଜଣକ ହେଲେ ପ୍ରିୟମ୍ବଦା ଷଡ଼ଙ୍ଗୀ ଓ ଅଭିଯୁକ୍ତ ସ୍ୱାମୀ ହେଲେ ଦେବରାଜ ଷଡ଼ଙ୍ଗୀ ।
ପ୍ରାରମ୍ଭିକ ସୂଚନା ଅନୁସାରେ, ଅଭିଯୁକ୍ତ ଦେବରାଜ ଷଡ଼ଙ୍ଗୀ ଆକାଉଣ୍ଟାଣ୍ଟ୍ ଜେନେରାଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ଦୁଇ ବର୍ଷ ତଳୁ ଚାକିରୀରୁ ଅବସର ନେଇଥିଲେ । ଦମ୍ପତି ସ୍ୱସ୍ତି ନଗରରେ ବସବାସ କରୁଥିଲେ। ତେବେ ହତ୍ୟାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିଛି ଦିନ ହେବ ସ୍ୱାମୀଙ୍କର ମାନସିକ ସ୍ଥିତି ଠିକ୍ ନଥିବା କଥା ସ୍ଥାନୀୟ ଲୋକମାନେ କହୁଛନ୍ତି। ଏହା ହତ୍ୟାକାଣ୍ଡର ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।
ମୃତକଙ୍କ ଝିଅଙ୍କ କହିବା ଅନୁସାରେ, ସେ ପାତ୍ରପଡାରେ ରହୁଥିବା ବେଳେ ଆଜି ସକାଳେ ତାଙ୍କ ବାପା ତାଙ୍କ ପାଖକୁ ଯାଇ ସୁନା ଗହଣା ସହ ଟଙ୍କା ଦେଇଥିଲେ। ତେବେ କିଛି ସମୟ ପରେ ପୋଲିସ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ, ଯାହା ପରେ ସେ ହତ୍ୟାକାଣ୍ଡ ବିଷୟରେ ଅବଗତ ହୋଇଥିଲେ।
ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟାକାଣ୍ଡର ଘଟଣାର ପ୍ରକୃତ କାରଣ କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ନିରାକାରପୁର ଷ୍ଟେସନରେ ଚାଞ୍ଚଲ୍ୟ: ମା’ କୋଳରୁ ୪ ମାସର ଶିଶୁ ନିଖୋଜ