ଭୁବନେଶ୍ୱର: ଯାଜପୁରରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ୫ ଜଣ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ପ୍ରତି ଆହତଙ୍କୁ ଉତ୍ତମ ଚିକିତ୍ସା ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜେନାପୁର ଥାନା ବଡ଼ଚଣା ଅନ୍ତର୍ଗତ ଶାସନପୁରୁଷୋତ୍ତମପୁରର ସଞ୍ଜୟନଗର, ଗ୍ରାମର ଲୋକେ କେନ୍ଦୁଝରକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିବାହରେ ଯୋଗ ଦେଇ ସକାଳୁ ସକାଳୁ ଏକ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିବାବେଳେ ବୋଲେରୋଟି ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇୱାକୁ ପଛରୁ ପିଟିଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ଜୀବନ ପୂର୍ତ୍ତିଙ୍କ ପୁଅ କାନ୍ଦ ପୂର୍ତ୍ତି, ବୋହୂ ଗୀତା ପୂର୍ତ୍ତି, ସର୍ବେଶ୍ୱର ନାୟକଙ୍କ ପତ୍ନୀ ନମିତା ନାୟକ, ରତ୍ନାକର ମୁଣ୍ଡାଙ୍କ ପତ୍ନୀ ବଲ୍ମା ମୁଣ୍ଡା ଏବଂ ଝିଅ ମାଳତୀ ମୁଣ୍ଡା । ସେହିପରି ୮ ଜଣ ଗୁରୁତର ଆହତ ହୋଇଛନ୍ତି ।