ଆସନ୍ତା ୧୦ ତାରିଖରେ ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସଜେଇ ହେଉଛି ନରେନ୍ଦ୍ର ପୁଷ୍କୋରିଣୀ । ପୂର୍ବରୁ ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀରୁ ୫ଟି ଡଙ୍ଗା ଉଠାଯାଇଥିଲା । ଏବଂ ଡଙ୍ଗାଗୁଡ଼ିକ ଶୁଖିଯିବା ପରେ ସେଥିରେ ଭୋଇ ସେବକମାନେ ପିଚୁ, ରାଳ ଆଦି ଦେଇଛନ୍ତି। ଏଥିସହିତ ନରେନ୍ଦ୍ର ପୁଷ୍କରିଣୀରେ ଅସ୍ଥାୟୀ ମଂଚ ତିଆରି ଚାଲିଛି । ଚନ୍ଦନ ଚକଡା ସମେତ ଠାକୁରଙ୍କ ଆସ୍ଥାନକୁ ପାରମ୍ପାରିକ ଶୈଳୀରେ ରଙ୍ଗ ଦିଆଯାଉଛି । ବାହାର ଚନ୍ଦନରେ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ଠାକୁର । ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହିତ ଶ୍ରୀକ୍ଷେତ୍ରର ପଂଚ ମହାଦେବ ଚାପ ଖେଳିବେ । ଏହାସହିତ ଏଥର ପ୍ରମୁଖ ଆକର୍ଷଣ ହେବ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି । ତେବେ ନରେନ୍ଦ୍ର ପୁଷ୍କୋରିଣୀର ପ୍ରବେଶ ଦ୍ୱାରରେ ନନ୍ଦା ଓ ଭଦ୍ରାର ସ୍ଥାୟୀ ପ୍ରତିକୃତି ଚାଲିଥିବା ବେଳେ ମହାପ୍ରଭୁଙ୍କ ଜଳକ୍ରୀଡା ଦେଖିବାକୁ ଆସିଲେ ଶ୍ରଦ୍ଧାଳୁମାନେ ଏହାକୁ ଦେଖିପାରିବେ ।