ନୂଆଦିଲ୍ଲୀ: ଆସାମରେ ହିମନ୍ତ ବିଶ୍ୱଶର୍ମା ହାଟ୍ରିକ୍ କରିବା ପଥରେ ଅଗ୍ରସର ହେଉଛି । କିନ୍ତୁ ବିରୋଧୀ କଂଗ୍ରେସ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ଯାଉଛି । ଖୋଦ ଆସାମର କଂଗ୍ରେସ ମୁଖିଆ ଗୌରବ ଗୋଗୋଇଙ୍କୁ ଶକ୍ତ ଝଟକା ଲାଗିଛି । ଜୋରହାଟ ଆସନରୁ ଲଢ଼ୁଥିବା ଗୌରବ ମୋଟ ୨୩ ହଜାର ୧୮୨ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ବିଜେପିର ହିତେନ୍ଦ୍ର ନାଥ ଗୌସ୍ୱାମୀ ବିଜୟ ହାସଲ କରିଛନ୍ତି ।
ଗୌରବଙ୍କ ବାପା ତରୁଣ ଗୌଗୋଇ ୨୦୦୧ରୁ ୨୦୧୬ ଯାଏଁ ଆସାମର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଗୌରବ ୨୦୧୪ରୁ ୨୦୨୪ ପର୍ୟ୍ୟନ୍ତ କାଲିଆବୋର ଆସନରୁ ସାଂସଦ ରହିସାରିଛନ୍ତି । କିନ୍ତୁ ୨୦୨୪ରେ ସାଧାରଣ ନିର୍ବାଚନରେ ସେ ହାରିଥିଲେ । ଏହା ପରେ ୨୦୨୫ ମେ ମାସରେ କଂଗ୍ରେସ ତାଙ୍କୁ ସଭାପତି ଆସନରେ ବସାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଗୌଗୋଇ ଶେଷରେ ପରାଜିତ ହୋଇଛନ୍ତି ।
ଖବର ଲେଖାଯିବା ବେଳକୁ ଶେଷ ଆସାମରେ ୯୯ଟି ଆସନରେ ଆଗୁଆ ରହିଥିବାବେଳେ ୩୭ଟି ଆସନରେ ବିଜୟ ହାସଲ କରିସାରିଥିଲା । ସେହିପରି କଂଗ୍ରେସ ୨୩ଟି ଆସନରେ ଆଗୁଆ ରହିଛି। ଆସାମରେ ମୋଟ ୧୨୬ଟି ଆସନ ଥିବାବେଳେ ସରକାର ଗଢ଼ିବାକୁ ୬୪ଟି ଆସନର ବହୁମତ ଆବଶ୍ୟକ ।