ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିରେ ପ୍ରଧାନ ବିଚାରପତିଙ୍କ ଭୂମିକା ଉପରେ ଆପତ୍ତି ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ କଣ ଏମିତି ଦୁନିଆର ଅନ୍ୟ କେଉଁଠି ହେଉଛି କି ? ଏହା ବ୍ୟତୀତ ସେ ଜଜଙ୍କ ଘରୁ ମିଳିଥିବା ନଗଦ ଘଟଣାର ଖୋଲାଖୋଲି ସମାଲୋଚନା କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି, ପ୍ରତିଟି ଅପରାଧର ଯାଞ୍ଚ ହେବା ଉଚିତ୍ । ଯଦି ଜଣେ ଜଜଙ୍କ ଘରୁ ଏତେ ପରିମାଣର ନଗଦ ମିଳୁଛି ତେବେ ଏହାର ସ୍ରୋତର ମଧ୍ୟ ସନ୍ଧାନ କରାଯିବା ଉଚିତ୍ ।
ସୋମବାର ଉପରାଷ୍ଟ୍ରପତି ଧନଖଡ କହିଛନ୍ତି, ମୁଁ ଏହି କଥାରେ ପୂରା ଚକିତ ଯେ, ସିବିଆଇ ନିର୍ଦ୍ଦେଶକ ପରି କାର୍ଯ୍ୟପାଳିକାର ପଦାଧିକାରୀ ନିଯୁକ୍ତିରେ ଭାରତର ପ୍ରଧାନ ବିଚାରପତିଙ୍କ ମଧ୍ୟ ଭାଗିଦାରୀ ରହୁଛି । କାର୍ଯ୍ୟପାଳିକାର ନିଯୁକ୍ତି କାର୍ଯ୍ୟପାଳିକା ବ୍ୟତୀତ ଅନ୍ୟ କୌଣସି ପକ୍ଷ କାହିଁକି ରହିବା ଉଚିତ୍ ବୋଲି ସେ ପ୍ରଶ୍ନ କରିଛନ୍ତି । କଣ ଏମିତି ସମ୍ବିଧାନର ଲେଖା ହୋଇଛି କି ? କଣ ଦୁନିଆରେ ଏମିତି ଅନ୍ୟ କେଉଁଠି ହେଉଛି କି ?
ଡିଏସପିଇ ଆକ୍ଟ ଆଧାରରେ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି କରିଥାଏ । ଏଥିରେ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ଭାରତର ପ୍ରଧାନ ବିଚାପରତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ଜଜ ରହିଥାନ୍ତି । କୋଚିରେ ଆଇନ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଜଗଦୀପ ଧନଖଡ ନ୍ୟାୟାପାଳିକା, କାର୍ଯ୍ୟପାଳିକା ଓ ବିଧାୟିକାକୁ ଅଲଗା କରୁଥିବା ସୀମା ଦୁର୍ବଳ ହେଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଧନଖଡ କହିଛନ୍ତି, ମୁଁ ଆଶା କରୁଛି ଯେ, ଦିଲ୍ଲୀରେ ଏକ ବିଚାପରତିଙ୍କ ସରକାରୀ ବାସଭବନରୁ ବିପୁଳ ମାତ୍ରାରେ ନଗଦ ମିଳିବା ମାମଲାରେ ଅପରାଧିକ ତଦନ୍ତ ଆରମ୍ଭ ହେବ । ଧନଖଡ ଏହି ଘଟଣାର ତୁଳନା ସେକ୍ସପିୟରଙ୍କ ନାଟକ ଜୁଲିୟସ ସିଜରଙ୍କ ଏକ ସଂଦର୍ଭ ‘ଇଡସ ଅଫ ମାର୍ଚ୍ଚ’ ସହ କରିଛନ୍ତି, ଯେଉଁଥିରେ ଆସୁଥିବା ସଙ୍କଟର ପ୍ରତୀକ ବୋଲି କୁହାଯାଏ ।