ରାଜ୍ୟରେ ବଢି ଚାଲିଛି ସାପ କାମୁଡ଼ା ମୃତ୍ୟୁ । ବର୍ଷା ପାଇଁ ଗାତରେ ପାଣି ପଶିଯିବା ଯୋଗୁ ସାପମାନେ ବାହାରେ ଏଣେତେଣେ ବୁଲିବା ସହ ଯାହାକୁ ପାରୁଛନ୍ତି ତାହାକୁ କାମୁଡ଼ି ଦେଉଛନ୍ତି | ଫଳରେ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଖବର ଆସିଛି ଯେ ଦୁଇଟି ଜିଲ୍ଲାରେ ସାପ କାମୁଡ଼ିବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ମୁତାବକ ଘଟଣାଟି ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମରେ । ମୃତ ଶିଶୁ ହେଉଛନ୍ତି ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ସୌଭାଗ୍ୟ ଦେହୁରୀ (୮) l ବୁଦିନ ଭଳି ଗତକାଲି ରାତିରେ ମଧ୍ୟ ଖାଇ ସାରିବା ପରେ ପରିବାର ସହ ଘର ଚଟାଣରେ ଶୋଇଥିଲେ । ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ୱୟଙ୍କୁ କାମୁଡି ଥିଲା ଏହା ପରେ ଶିଶୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ସାନ ପୁଅ ସୌଭାଗ୍ୟକୁ ଡାକ୍ତର ମୃତ୍ୟୁ ଘୋଷଣା କରିବା ବେଳେ ବଡ ପୁଅ ଗୌରାଙ୍ଗର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା | ଖବର ପାଇବା ପରେ ଦେବଗଡ ଥାନା ପୋଲସ ମୃତ ଦେହକୁ ଜବତ କରିବା ସହ ମାମଲା କୁ ରଜ୍ଜୁ କରି ତଦନ୍ତ ଚଳାଇଛି ।
ସେହିପରି ଆଉଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ । ସାପ କାମୁଡାରେ ଦେଢ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମିନତୀ ମହାକୁଡ ନିଜର ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଶୋଇଥିଲା ବେଳେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା ଏବଂ ପୁଅକୁ କାମୁଡ଼ି ଦେଇଥିଲା। ପରେ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ଶିଶୁଦେହ ସାପର ବିଷର ପ୍ରଭାବକୁ ସହି ନ ପରି ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲା ଏବଂ ମା' ମିନତୀଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ପରେ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।