କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଥିଲେ ଓ ଦୁଇ ଜଣ ଛାତ୍ର ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ଗୁରୁତର ହୋଇଯାଇଥିବାରୁ ଛାତ୍ରଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅଛି କି,ଏହି ଘଟଣାଟି ରାତି ପ୍ରାୟ ୩ ଟା ବେଳେ ଘଟିଥିବାର ଅନୁମାନ କରାଯାଇଛି କିନ୍ତୁ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ସକାଳ ପ୍ରାୟ ୭.୩୦ ଟା ରେ ଖବର ଦିଆ ଯାଇଥିଲା । ତେବେ କେଉଁ ସାପ କାମୁଡ଼ିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଚିତି ସାପ କାମୁଡ଼ିଛି ବୋଲି ଅନୁମାନ କରାଯାଉଛି ।
ମୃତ ଛାତ୍ର ଛାତ୍ରୀ ହେଉଛନ୍ତି ସ୍ନେହାଶ୍ରୀ ନାଏକ (୧୦) ଓ ଏଲିନା ନାଏକ (୭) , ରାଜା ନାଏକ (୧୨) ଏବଂ ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ (୧୨) । ମୃତ ଏଲିନାଙ୍କ ମା’ ଦମୟନ୍ତୀ ନାଏକ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ। ଆସନ୍ତା ୩୦ ତାରିଖରେ ସେ ତା’ ପାଖକୁ ଯିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ଫୋନ୍ ଆସିଲା ଝିଅ ଆଉ ନାହିଁ। ଏହା ଛଡା ଏଲିନାଙ୍କ ଜଣେ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଯଦି ଘଟଣା ଟି ରାତି ୩ଟା ରେ ଘଟିଥିଲା କିନ୍ତୁ ପରିବାର ଲୋକଙ୍କୁ କଣ ପାଇଁ କିଛି କୁହାଯାଇ ନଥିଲା । ତେବେ କୋଚିଂ ସେଣ୍ଟର ରେ ଘଟଣାଟି ଘଟିଥିଲା ବେଳେ କୋଚିଂ ସେଣ୍ଟରର କୌଣସି ସଦସ୍ୟଙ୍କୁ ଡାକ୍ତରଖାନାରେ ଦେଖିବାକୁ ପାଇ ନଥିଲୁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।