ବାଲେଶ୍ୱର : ଦିନକୁ ଦିନ ବଢୁଛି ଜଳକା ନଦୀର ଜଳସ୍ତର। ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି। ମଥାନୀ ଠାରେ ବିପଦ ସଙ୍କେତ ୮ ମିଟର ରହିଥିବା ବେଳେ ଜଳସ୍ତର ଏହାର ପାଖାପାଖି ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭ ଦଶମିକ ୯୮ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ବଢ଼ୁଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି ନଦୀ କୁଳିଆ ବାସିନ୍ଦା।
ଲଗାଣ ବର୍ଷା କାରଣରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଗତ ଦୁଇଦିନ ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିଲା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହାକୁ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୫ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।
ତେବେ ବନ୍ୟା ପରିସ୍ଥିତି ତଥା ଜଳକା ନଦୀର ବଢୁଥିବା ଜଳସ୍ତରକୁ ଦେଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଜାରି କରାଯାଇଛି। ଏପରିକି ବିଭିନ୍ନ ଗ୍ରାମରେ ଜଳ ନିଷ୍କାସନ ପାଇଁ ମଧ୍ୟ ଟିମ ପହଂଚି ଜଳ ନିଷ୍କାସନରେ ଲାଗି ପଡିଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟ ସ୍ଥଳିକୁ ନିଆଯାଇଛି। ଏଥିସହ ବନ୍ୟାଜଳ ହ୍ରାସ ହେବାପରେ କ୍ଷତିଗ୍ରସ୍ତ ଘର ଓ କ୍ଷତିଗ୍ରସ୍ତ ଚାଷକୁ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।