ଭୁବନେଶ୍ବର : ଶନିବାର ଓଡିଶାରେ ଆସି ପହଞ୍ଚିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ବାଗତ କରିଥିଲେ।ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି କଟକ ଗସ୍ତ କରିଛନ୍ତି। ଆଜି କଟକରେ ହାଇକୋର୍ଟ ବାର୍ ଆସୋସିଏସନର ଆଲୋଚନାଚକ୍ରରେ ଯୋଗଦାନ କରିଛନ୍ତି। ୫୦ ବର୍ଷରୁ ଅଧିକ ଓକିଲାତି କରିଥିବା ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ ବାର ପରିଷଦ ସଭାପତି ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ସମେତ ରାଜ୍ୟ ସାରାରୁ ଅନ୍ୟ ବିଚାରପତି, ଆଇନଜୀବୀ ଏବଂ ଅଧିକାରୀମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷ ହେବ ପରେ ଭାରତର ମୁଖ୍ୟ ବିଚାରପତି ଦିଲ୍ଲୀ ଯିବେ।