Home >
ଆଜି ରାତି ୭ଟାରୁ ୧୧ଟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୁଲବୁଲ, ଓଡ଼ିଶାରେ ରଚିଲା ତାଣ୍ଡବ
Khabar Odisha:State-Odisha-Cyclone-Bulbul-Effect-in-Odisha
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଅତି ଭୟଙ୍କର ରୂପ ଧାରଣ କରି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି । ବୁଲବୁଲ ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି । ଅପରାହ୍ନ ୫ଟାରୁ ରାତି ୧୦ଟା ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି । ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି । କିନ୍ତୁ ଆଉ କିଛି ଘଣ୍ଟା ମଧ୍ୟରେ ଏହି ପ୍ରକୋପ କମିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । 

ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ସକାଳ ଠାରୁ ଏହି ସବୁ ସ୍ଥାନରେ ବର୍ଷା ଓ ପବନର ବେଗ ମଧ୍ୟ ବଢିଛି । ଓଡ଼ିଶାରେ ଆହୁରି ୪,୫ଘଣ୍ଟା ବର୍ଷା ହେବ । ଏହି ପ୍ରବଳ ବର୍ଷା ଓ ପବନରେ ଅନେକ ସ୍ଥାନରେ ଗଛ ଉପୁଡ଼ିଛି । କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ୬ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ କ୍ଷତି ହୋଇଥିବା ଆଶଙ୍କା କରାଯାଇଛି । ଚାଷ କ୍ଷୟକ୍ଷତି ଆକଳନ ନେଇ ଗୋଟଏ ଟିମ ବାହାରିଛି । ବାତ୍ୟା ବୁଲ୍‌ବୁଲ୍ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ସୂଚନା ଦେଇଛନ୍ତି ।  

ବର୍ତ୍ତମାନ ମଧ୍ୟ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବର୍ଷା ଜାରି ରହିଛି । ଗତ ୨୪ଘଣ୍ଟାରେ ପାରାଦୀପରେ ୧୬୪ ମିମି ଓ ଚାନ୍ଦବାଲିରେ ୧୫୦ ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡ଼ା ରାଜନଗରରେ ୧୮୦ ଓ ରାଜକନିକାରେ ୧୩୬ ମିମି ବର୍ଷା ରେକର୍ଡ଼ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଓ ବାହାନଗା ବ୍ଲକ୍ ଅଞ୍ଚଳରେ ବୁଲବୁଲ ପ୍ରଭାବରେ ଧାନ ଫସଲ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ବୁଲବୁଲ ପ୍ରଭାବରେ ତୁହାକୁ ତୁହା ବର୍ଷା ହେବା ସହ ପବନ ହେଉଛି। 

ଭଦ୍ରକର ଧାମରାରେ ପ୍ରବଳ ପର୍ଷା ସହ ୧୧୦ କିମି ବେଗରେ ପବନ ବହିଛି । ଏହା ସହ ଚାନ୍ଦବାଲିରେ ପ୍ରବଳ ବର୍ଷା ଓ ପବନ ହୋଇଛି । ଫଳରେ ଚାନ୍ଦବାଲି ବ୍ଲକ୍‌ରେ ୪୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । ବାସୁଦେବପୁର-ଧାମରା ରାସ୍ତାରେ ଗଛ ପଡ଼ିଥିବା ବେଳେ ରାସ୍ତା ସଫା କରିବାକୁ ବାସୁଦେବପୁରରୁ ଏନଡିଆରଏଫ ଟିମ୍ ପଠାଯାଇଛି । ସେଠାରେ ଏନଡିଆରଏଫ ଟିମର ଜଣେ କାର‌୍ୟ୍ୟରତ ସଦସ୍ୟ ଗୁରୁତର ହୋଇଛନ୍ତି । ବୁଲବୁଲ ପ୍ରଭାବିତ ସମସ୍ତ ଅଂଚଳରୁ ପ୍ରାୟ ୨୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କେବଳ କେନ୍ଦ୍ରାପଡ଼ା ୧୧୩୯ ସ୍ଥାନାନ୍ତର କରାଯାଇଛି । ଗୋଟିଏ ସ୍ଥାନରେ ୩୩କେଭି ଓ କେତେକ ସ୍ଥାନରେ ୧୧କେଭି ବିଦ୍ୟୁତ ତାର ଛିଡ଼ିଛି ।

  • Tags:

Subscribe

National International State Sports Entertainment