କଟକର ବଡ ଡାକ୍ତରଖାନା ଏସସିବିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣା ନେଇ ଏବେ ଚାଲିଛି ଉଚ୍ଚସ୍ତରୀୟ ତଦନ୍ତ। ଘଟଣାର ଏକ ମାସ ପରେ କେନ୍ଦ୍ରରୁ ୬ ଜଣିଆ ତଦନ୍ତକାରୀ ଟିମ କଟକରେ ପହଞ୍ଚି ମେଡିକାଲ ପରିସରରେ ତଦନ୍ତ ଆରମ୍ଭ କରିଛି। ଏହି ଟିମରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ବିଶେଷଜ୍ଞ ଓ ଅଗ୍ନିସୁରକ୍ଷା ପରାମର୍ଶଦାତାମାନେ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ ଏସସିବି ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ରାତି ୩ଟା ସମୟରେ ହଠାତ୍ ଭୟଙ୍କର ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୧୨ ଜଣ ନିର୍ଦ୍ଦୋଷ ରୋଗୀଙ୍କ ଜୀବନ ଯାଇଥିଲା। ଅଭିଯୋଗ ହେଉଛି, ହସ୍ପିଟାଲର ଅବହେଳା, ଦାୟିତ୍ୱହୀନତା ଓ ଯଥେଷ୍ଟ ଅଗ୍ନିନିରାପତ୍ତା ବ୍ୟବସ୍ଥାର ଅଭାବ ଏହି ଦୁର୍ଘଟଣା ଘଟିଥିଲା।
ତେବେ ଘଟଣା ସମୟରେ ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ପରେ ଅନ୍ୟ ତିନୋଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲା। ଆଇସିୟୁରୁ ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା, ତଥାପି ଅନେକ ଜୀବନ ହରାଇଥିଲେ। ଏବେ ସମସ୍ତଙ୍କ ଦୃଷ୍ଟି ଏହି କେନ୍ଦ୍ରୀୟ ଟିମର ତଦନ୍ତ ଉପରେ। କେଉଁଠି ହେଲା ତ୍ରୁଟି? କିଏ ଦେବ ଦାୟିତ୍ୱ? ଏବଂ ଆଗକୁ ଏପରି ଅଘଟଣ ରୋକିବା ପାଇଁ କଣ ନିଆଯିବ ପଦକ୍ଷେପ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସାଧାରଣ ଲୋକ। ଏହି ତଦନ୍ତ ରିପୋର୍ଟ ପ୍ରକାଶ ପାଇଲେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି, ସେଥିସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ଆଶଙ୍କା କରାଯାଉଛି।
ଅଧିକ ପଢନ୍ତୁ: କଟକ SCB ହସ୍ପିଟାଲ ଆଗ୍ନିକାଣ୍ଡ ଘଟଣାରେ NHRC ଆକ୍ସନ; ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ