ଭୁବନେଶ୍ବର: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ଓଡିଶାର ଅବକାରୀ ବିଭାଗ ସଜାଗ ହୋଇଛି । ଦୁଇ ଦିନ ହେବ ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ଶନିବାର ରାତି ଅଧରେ ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଚଢାଉ କରିଥିଲା । ପ୍ରାୟ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ କରିଛି।
ଦିନରେ କମିଶନରେଟ୍ ପୋଲିସ ଓ ଅଗ୍ନିଶମ ବାହିନୀର ଚଢାଉ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଅବକାରୀ ବିଭାଗ ଚଢାଉ କରୁଛି । ଭୁବନେଶ୍ବରରେ ଥିବା ସମସ୍ତ ବାର୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଦିଆ ଯାଇଥିବା ଗାଇଡ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି ।
ତେବେ ଏହି ସମୟରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କିଛି ଅସାମାଜିକ ବ୍ୟକ୍ତି। ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ। ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଞ୍ଚଳର ଏକ ବାର୍ ରେ ରେଡ୍ କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ଦୁଇ ଜଣଙ୍କୁ ପୋଲିସ୍ ଅଟକ ରଖିଛି।
ସୂଚନାଯୋଗ୍ୟ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ଏଥିରେ ୨୦ ଜଣ କର୍ମଚାରୀ ଏବଂ ୫ ଜଣ ପର୍ଯ୍ୟଟକ ଥିଲେ । ଏହି ବଡ଼ ଘଟଣା ପରେ ମଧ୍ଯ , କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ । ପରେ ଏହି ଦୁଇ ଭାଇମାନଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ। ସେମାନେ କୋର୍ଟଠାରୁ ଚାରି ସପ୍ତାହର ଅଗ୍ରୀମ ଜାମିନ୍ ମାଗିଥିଲେ ଯାହା ଦ୍ୱାରା ଦିଲ୍ଲୀ ପହଞ୍ଚିବା ପରେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ । ତେବେ ଅତିରିକ୍ତ ସ୍ବତନ୍ତ୍ର ବିଚାରପତି ବନ୍ଦନା ଲୁଥରା ବ୍ରଦର୍ସଙ୍କୁ ଝଟକା ଦେଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।