ଓଲିଉଡ଼ରେ ପୁଣି କାଷ୍ଟିଂ କାଉଚ୍ ଅଭିଯୋଗ ଘଟଣା। ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୁଦ୍ଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି । ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି। ଅନେକ ନବାଗତାଙ୍କୁ ସେ ଶୋଷଣ କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପ୍ରକୃତି । ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି। ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଏବଂ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି ବୋଲି କହିଛନ୍ତି ପ୍ରକୃତି ମିଶ୍ର ।
କିନ୍ତୁ ଏହି କାଷ୍ଟିଂ କାଉଚ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟ ଓରଫ୍ ଟୁଟୁ । ସେ କହିଛନ୍ତି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ, ଏହାର କିଛି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ । ପ୍ରି-ପ୍ଲାନ୍ କରି ମୋତେ ଫସାଇବାକୁ ଉଦ୍ୟମ କରାଯାଉଛି । ମୋ ବିରୋଧରେ ପ୍ରମାଣ ଥିଲେ ଦେଖାଅ ବୋଲି କହିଛନ୍ତି ସଞ୍ଜୟ। ଓକିଲଙ୍କ ସହ କଥାବାର୍ତ୍ତା ଚାଲିଛି, ଲିଗାଲ୍ ଆକ୍ସନ ନିଆଯିବ'। ଓଡ଼ିଶାବାସୀ ଜାଣିଛନ୍ତି ପ୍ରକୃତି ମିଶ୍ର କ'ଣ ଆଉ ମୁଁ କ'ଣ। ସତକଥା କହିଲେ ଛାତି ଫାଟେ, ବିନା ପ୍ରମାଣରେ ପ୍ରକୃତି ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ସଞ୍ଜୟ ।
ପ୍ରକୃତି ଆହୁରି ମଧ୍ୟ କହିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି । ଏପରିକି ତାଙ୍କ ସହ ଅତୀତର ଏକ ଦୁଃଖଦ ଘଟଣା ବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ। ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି। ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଏବଂ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଟୁଟୁ ନାୟକ ଏବେ ଲୁଚୁଛନ୍ତି ଓ ସେ ତାଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ତାଙ୍କୁ ଡାକି ପଚାରିଲେ ସତ ଜଣାପଡିବ ବୋଲି ପ୍ରକୃତି କହିଛନ୍ତି ।