ବ୍ରହ୍ମପୁର : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏଥିପାଇଁ ବିଭିନ୍ନ ସ୍ଥାନ ଜଳମୟ ହୋଇଛି। ଏହାରି ଭିତରେ ଏକ ଚିନ୍ତାର କାରଣ ପାଲଟିଛି ଝାଡ଼ାବାନ୍ତି। ତେବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପରେ କିଛି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି। ତେଣୁ ସେମାନନେ ନିଜ ଘରକୁ ଫେରିଯାଇଛନ୍ତି।
ଦୂଷିତ ପାଣି ତଥା ଖାଦ୍ୟ ପେୟରେ ଅସ୍ଥିରତା ହେବା କାରଣରୁ ଝାଡା ବାନ୍ତି ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେଣୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ତେବେ ଦିନକୁ ଦିନ ଏହି ସମସ୍ୟା ଦେଖାଯିବାରୁ ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁରେ ପହଞ୍ଚି ସମସ୍ତ ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି ଏବଂ ତାଙ୍କ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି।
ସେହିପରି ଗତ ଗୁରୁବାର ଜଣେ ବ୍ୟକ୍ତିଙ୍କର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ଦିନ ମଧ୍ୟ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ ପୂର୍ବରୁ ମଧ୍ୟ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ମୃତ୍ୟୁ ହେଇଥିଲା। ତେଣୁ ଏହି ସମସ୍ୟା ପୁଣି ଦେଖା ଦେବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।