Home >
ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣା: ୨ ଇଂଜିନିୟରଙ୍କୁ ନିଲମ୍ବିତ କଲା ବିଏମସି
Khabar Odisha:Nation-BMC-BMC-suspended-two-engineers-after-bridge-collapse-incident-in-Mumbai

ମୁମ୍ବାଇ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) ରେଳ ଷ୍ଟେସନ ନିକଟରେ ଫୁଟ ଓଭର ବ୍ରିଜ ଦୁର୍ଘଟଣାରେ ବୃହତ୍ତମୁମ୍ବାଇ ନଗର ନିଗମ ଶୁକ୍ରବାର ୨ ଜଣ ଇଂଜିନିୟରଙ୍କୁ ନିଲମ୍ବତ କରିଛି । ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ୬ ଘଣଙ୍କର ମୃତ୍ୟୁ ଘଟିଛି । ଆହତ ୩୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ସେଣ୍ଟ ଜର୍ଜ ହସ୍ପିଟାଲ ଏବଂ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଏବେ ବି କିଛି ଲୋକଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣାରେ ଅପୂର୍ବ ପ୍ରଭୁ (୩୫), ରଂଜନା ଥାମ୍ବେ (୪୦), ଜାହୀଦ ଶିରାଜ ଖାନ (୩୨), ସାରିକା କୁଲକର୍ଣ୍ଣି (୩୫), ତପେନ୍ଦ୍ର ସିଂହ (୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏବଂ ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । 

ଦୁଇ ଜଣ ଇଂଜିନିୟରଙ୍କୁ ନିଲମ୍ବିତ କରାଯିବା ବାବଦରେ ମୁମ୍ବାଇ ନଗର ଆୟୁକ୍ତ ଅଜୟ ମେହତା ଶୁକ୍ରବାର ଆଦେଶ ଜାରି କରିଛନ୍ତି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏହି ମାମଲାର ଉଚ୍ଚ ସ୍ତରୀୟ ଯାଞ୍ଚ କରିବାକୁ କହିଥିଲେ । ଏହା ପରେ ଶୁକ୍ରବାର ନଗର ଆୟୁକ୍ତ ମେହତା ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହା ବ୍ୟତୀତ ଆୟୁକ୍ତ ବୃହତ୍ତମୁମ୍ବାଇର ୨ ଜଣ ଅବସରପ୍ରାପ୍ତ ମୁଖ୍ୟ ଇଂଜିନିୟରଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦିଆଯାଇଛି । 

ନଗର ଆୟୁକ୍ତ ୨୦୧୭-୧୮ରେ ବ୍ରିଜର ଷ୍ଟ୍ରକଚର ଅଡିଟ କରିଥିବା ଏକଜ୍ୟୁକେଟିଭ ଇଂଜିନିୟର ଏଆର ପାଟିଲ ଏବଂ ୨୦୧୩-୧୪ରେ ଏହି ବ୍ରିଜ ମରାମତି କାମ କରାଇଥିବା ସହାୟକ ଇଂଜିନିୟର ଏସଏଫ କଲକୁଟ୍ଟେକୁ ନିଲମ୍ବିତ କରି ତାଙ୍କର ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି । 

ମୁମ୍ବାଇ ପୋଲିସ ଆଜାଦ ମଇଦାନ ପୋଲିସ ଥାନାରେ କେନ୍ଦ୍ରୀୟ ରେଳବାଇ ଏବଂ ବୃହତ ମୁନିସିପାଲ କର୍ପୋରେଶନ ବିରୋଧରେ ଧାରା ୩୦୪ ଏ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି । ଏହି ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ଘଟିଥିଲା । ଫଳରେ ବ୍ରିଜ ତଳେ ୫ ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ରେଳବାଇ ପୋଲିସ, ପ୍ରଶାସନ ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । 

 

 

  • Tags:

Subscribe

National International State Sports Entertainment