ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଜବାଷ୍ଟନ ଟେଷ୍ଟ ଜିତି ଇତିହାସ ରଚିଛି । ଏବେ ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହାକୁ ନେଇ ଘରୋଇ ଦଳ ଚିନ୍ତାରେ ପଡି ଯାଇଛି । କାରଣ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ଯେଉଁ ଭଳି ବ୍ୟାଟିଂ ଏବଂ ବୋଲିଂରେ ଦଳ ପ୍ରଦର୍ଶନ କଲା ତାହା ଇଂଲଣ୍ଡ ଶିବିରରେ ଛନକା ପଶାଇ ଦେଇଛି ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟ ଜୁଲାଇ ୧୦ରେ ଲର୍ଡ୍ସରେ ଖେଳାଯିବ । ଏହାକୁ ନେଇ ଇଂଲଣ୍ଡର କୋଚ୍ ବ୍ରେଣ୍ଡନ ମ୍ୟାକକଲମ ପିଚକୁ ନେଇ ଏକ ଦାବି ରଖିଛନ୍ତି । ତୃତୀୟ ଟେଷ୍ଟରେ ଜୋଫ୍ରା ଆର୍ଚର ଖେଳି ପାରନ୍ତି । ସେ ଚାରି ବର୍ଷ ପରେ ଟେଷ୍ଟ ଦଳର ଚୂଡାନ୍ତ ଏକାଦଶରେ ସାମିଲ ହେବେ । ଅନ୍ୟପଟେ ଗସ ଏଟଙ୍କିସନ ମାଂସପେଶୀ ଟାଣି ଧରିବାରୁ ପ୍ରଥମ ଦୁଇଟି ଟେଷ୍ଟ ଖେଳି ପାରି ନ ଥିଲେ । ତାଙ୍କ ପ୍ରତ୍ୟାବର୍ତ୍ତନରେ ଇଂଲଣ୍ଡର ବୋଲିଂ ଆକ୍ରମଣ ମଜବୁତ ହେବ । ଇଂଲଣ୍ଡ ପ୍ରଥମ ଦୁଇଟି ଟେଷ୍ଟରେ ସମାନ ଚୂଡାନ୍ତ ଏକାଦଶ ସହ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଦଳରେ ଅନେକ ପରିବର୍ତ୍ତନ ହେବ । ଘରୋଇ ଦଳର ସବୁଠୁ ବଡ ଚିନ୍ତା ବୋଲିଂକୁ ନେଇ ରହିଛି । ଆର୍ଚର ଓ ଏଟଙ୍କିସନଙ୍କ ପ୍ରତ୍ୟାବର୍ତ୍ତନରେ ବେନ ଷ୍ଟୋକ୍ସଙ୍କ ଚିନ୍ତା କିଛିଟା ଦୂର ହେବ ।
ଇଂଲଣ୍ଡର ହେଡ୍ କୋଚ୍ ମ୍ୟାକକଲମ କହିଛନ୍ତି ଯେ, ସେ ଏମସିସିର ମୁଖ୍ୟ ଗ୍ରାଉଣ୍ଡମ୍ୟାନଙ୍କଠୁ ଚାହାନ୍ତି ଯେ ପିଚରେ ଅଧିକ ଗତି, ବାଉନ୍ସ ଓ ସୁଇଙ୍ଗ ଦେଖିବାକୁ ମିଳୁ । ମ୍ୟାକକଲମ ଡବ୍ଲ୍ୟୁଟିସି ଫାଇନାଲ୍ ପରି ପିଚ୍ ଚାହାନ୍ତି । ଯେଉଁ ପିଚରେ ରାବଡା ଓ କମିନ୍ସ ବଲକୁ ସୁଇଙ୍ଗ କରିବାରେ ସଫଳ ହୋଇଥିଲେ । ପୂରା ମ୍ୟାଚରେ ପିଚରେ ବାଉନ୍ସ, ସୁଇଙ୍ଗ ଦେଖିବାକୁ ମିଳିଥିଲା ।
ଇଏସପିଏନକ୍ରିକଇନଫୋ ସହ ଆଲୋଚନା ବେଳେ ମ୍ୟାକକଲମ କହିଛନ୍ତି, ଏହା ଏକ ପ୍ରକାରର ବ୍ଲକବଷ୍ଟର ମ୍ୟାଚ୍ ହେବ । ମୋତେ ଲାଗୁଛି ଯଦି ପିଚରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳେ ତେବେ ମ୍ୟାଚ୍ ରୋଚକ ହେବ । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଘରୋଇ ଦଳ ଫ୍ଲାଟ ପିଚକୁ ପ୍ରାଥମିକତା ଦେଇଥିଲା, ଯାହା ଦଳର ବାଜବଲ କ୍ରିକେଟକୁ ସମର୍ଥନ ଦେଉଥିଲା । ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ୫ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ୩୩୬ ରନରେ ହାରିଛି ।