ପଶ୍ଚିମବଙ୍ଗ ରାଜନୀତିରେ ଏବେ ଭୂକମ୍ପ ସଦୃଶ ପରିସ୍ଥିତି। ଦୀର୍ଘବର୍ଷ ଧରି ଅଦମ୍ୟ ଥିବା ଦିଦିଙ୍କ ଗାଦି ଏଥର ଟଳମଳ କରୁଥିବା ଦୃଶ୍ୟ ଦେଖାଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ମାତ୍ରେ ରାଜନୀତିକ ଚିତ୍ରକୁ ପୁରାପୁରି ବଦଳାଇ ଦେଇଛି। ବିଜେପି ୧୯୧ଟି ଆସନରେ ଆଗୁଆ ଥିବା ବେଳେ, ମମତା ବାନାର୍ଜୀଙ୍କ ଟିଏମସି କେବଳ ୯୮ଟି ଆସନରେ ସୀମିତ। ଏହି ଟ୍ରେଣ୍ଡ ଦେଖି ବିଜେପି ଶିବିରରେ ଆଗୁଆ ଉତ୍ସବ ଆରମ୍ଭ ହୋଇଯାଇଛି, ଯେତେବେଳେ ଟିଏମସି ଶିବିରରେ ଚିନ୍ତା ଓ ଅସ୍ଥିରତା ସ୍ପଷ୍ଟ।
ଏହି ପରିସ୍ଥିତିରେ ଦିଘା ଜଗନ୍ନାଥ ଧାମକୁ ନେଇ ହୋଇଥିବା ବିବାଦ ପୁଣିଥରେ ଚର୍ଚ୍ଚା ସାଉଁଟିଛି। ମନ୍ଦିର ପ୍ରତିଷ୍ଠାରୁ ଆରମ୍ଭ କରି ନାମକରଣ ଓ ବିଗ୍ରହ ପ୍ରତିଷ୍ଠା ପର୍ଯ୍ୟନ୍ତ ନେଇ ଯେଉଁ ବିବାଦ ଉଠିଥିଲା, ସେଥିର ପ୍ରଭାବ ଏଥର ଭୋଟରେ ପଡ଼ିଥିବା କୁହାଯାଉଛି। ବିରୋଧୀମାନେ ଏହାକୁ ମୁଦ୍ଦା କରି ଦିଦିଙ୍କୁ ଘେରିଥିଲେ, ଯାହା ଜନମତରେ ପ୍ରଭାବ ପକାଇଛି ବୋଲି ଆଲୋଚନା।
ଏପଟେ, ପରିସ୍ଥିତି ଗମ୍ଭୀର ଦେଖି ମମତା ବାନାର୍ଜୀ ସୋଶାଲ ମିଡିଆରେ ଭିଡିଓ ଜାରି କରି ନିଜ କର୍ମୀ ଓ ପ୍ରାର୍ଥୀଙ୍କୁ ଗଣତି କେନ୍ଦ୍ର ଛାଡ଼ିବାକୁ ମନା କରିଛନ୍ତି। ସେ ଗଣତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ କିଛି ସ୍ଥାନରେ ଗଣତି ରାଉଣ୍ଡ ପରେ ବନ୍ଦ ହୋଇଯାଇଛି ଓ ବିଜେପି ନିଜର ଫଳାଫଳ ପ୍ରଥମେ ଦେଖାଇବାକୁ ଚେଷ୍ଟା କରୁଛି।
ଏହି ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ସମସ୍ତଙ୍କ ନଜର ଏବେ ଅନ୍ତିମ ଫଳାଫଳ ଉପରେ ରହିଛି। ଯଦି ଏହି ଟ୍ରେଣ୍ଡ ଜାରି ରହେ, ତେବେ ପଶ୍ଚିମବଙ୍ଗରେ ଦୀର୍ଘଦିନର ଶାସନର ଅଂଟା ଘଟିବା ସହ ନୂତନ ରାଜନୀତିକ ଅଧ୍ୟାୟ ଆରମ୍ଭ ହେବ ଯେଉଁଠାରେ “ଦିଦି”ର ଯୁଗକୁ ଶେଷ କରି ବିଜେପି ବିଜୟ ବାନା ଉଡ଼ାଇବ।
ଅଧିକ ପଢନ୍ତୁ: ବିଜୟ ମୁହଁରେ ବିଜେପି; ପାନିହାଟିରେ ରତ୍ନା ଆଗରେ, ଜିତୁଛନ୍ତି ଦୁଷ୍କର୍ମ ପୀଡିତାଙ୍କ ମା’