ନୂଆଦିଲ୍ଲୀ, ଅଗଷ୍ଟ ୨୩ (ଖବର ଓଡ଼ିଶା): ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ୩ ଜଣ ଛାତ୍ରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର । ଏହି ଛାତ୍ରମାନେ ସ୍ନାତକ ପଢୁଥିଲେ । ସେମାନେ ହେଲେ ମୋଗଲପୁରୀ ଅଞ୍ଚଳର ପ୍ରଶାନ୍ତ, ଅଭିଷେକ ଓ ସଂଜୀବ ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ୨୧ ତାରିଖରେ ରାଜ ପାର୍କ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରୀଭୁସି ହତ୍ୟା କରାଯାଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତକ ଥିଲେ କୃଷ୍ଣ (୨୧) । କୃଷ୍ଣଙ୍କ ଛାତି ଓ ପେଟରେ ବହୁବାର ଛୁରୀରେ ଆକ୍ରମଣ କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ତଦନ୍ତ ସମୟରେ ପୁଲିସକୁ ସନୀଲ ନାଁରେ ଜଣେ ପ୍ରତକ୍ଷ୍ୟଦର୍ଶୀ ମିଳିଥିଲା, ଯିଏକି କୃଷ୍ଣଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ଏହି ସମୟରେ ସୁନୀଲ ମଧ୍ୟ ଛୁରୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ଶରୀରରେ ଆଘାତ ଲାଗିଥିଲା । ତେବେ ମୃତ୍ୟୁ ପୂର୍ବରୁ କୃଷ୍ଣ କହିଥିଲେ ଯେ, ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପ୍ରଶାନ୍ତ ଓ ଅଭିଷେକ ଅନ୍ୟତମ । ଏହା ପରେ ପୁଲିସ ମଙ୍ଗୋଲପୁରୀ ଅଞ୍ଚଳରେ ଚଢ଼ଉ କରି ଗିରଫ କରିଥିଲା ।
ତିନି ଜଣଙ୍କୁ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଲା ଯେ, ପ୍ରଶାନ୍ତ ଓ ରବିଙ୍କ ମଧ୍ୟରେ ଝଗଡ଼ା ଥିଲା । କାରଣ ପ୍ରଶାନ୍ତଙ୍କ ସଂପର୍କରେ ରବିର ଗର୍ଲଫ୍ରେଣ୍ଡ ଥିଲେ । ପ୍ରଶାନ୍ତ ଏହି ମାମଲାର ସମାଧାନ ପାଇଁ ରବିକୁ ଆଲୋଚନା ପାଇଁ ରାଜ ପାର୍କକୁ ଡାକିଥିଲା । ଏହି ସମୟରେ ବିବାଦରେ ଛନ୍ଦି ହୋଇଥିଲେ ରବିର ସାଙ୍ଗ କୃଷ୍ଣ । ତେଣୁ ସେ ପ୍ରଶାନ୍ତ ଉପରେ ଇଟାରେ ଆକ୍ରମଣ କରିଥିଲା । କିଛି ସମୟ ପରେ ପ୍ରଶାନ୍ତ ନିଜର ସାଙ୍ଗ ସଂଜୀବ ଓ ଅଭିଷେକଙ୍କୁ ନେଇ ଆସିଥିଲା । ତିନି ଜଣ ମିଶି କୃଷ୍ଣଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।