ଗତକାଲି ଆଇପିଏଲ୍ ଫାଇନାଲ ମ୍ୟାଚ୍ରେ ବର୍ଷା ସାଜିଲା ବାଧକ। ତୁହାକୁ ତୁହା ବର୍ଷା ହେବା ଯୋଗୁ ମ୍ୟାଚ୍ ରିଜର୍ଭ ଡେ’କୁ ଘୁଞ୍ଚିଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଗତକାଲି ସନ୍ଧ୍ୟା ୬ଟା ପରେ ଅହମଦାବାଦରେ ବର୍ଷା ଆରମ୍ଭ ହୋଇଥିଲା। ଆଉ ବର୍ଷା ଛାଡ଼ି ନଥିଲା। ମଝିରେ ମଝିରେ ବର୍ଷା କମି ଯାଉଥିଲା ଓ ଖେଳ ଆରମ୍ଭ ହେବା ନେଇ ଆଶା ସଞ୍ଚାର ହେଉଥିଲା। କିନ୍ତୁ ଖେଳ ହୋଇପାରି ନଥିଲା। ଶେଷରେ ରାତି ପ୍ରାୟ ୧୧ଟା ବେଳେ ମ୍ୟାଚକୁ ରିଜର୍ଭ ଡେ’କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ପୂର୍ବରୁ ବର୍ଷା ଛାଡ଼ି ଯାଇଥିଲା। କିନ୍ତୁ ଷ୍ଟାଡିୟମର ଆଉଟଫିଲ୍ଡରେ ପାଣି ଜମା ହୋଇଯାଇଥିଲା ଓ ଆଉଟଫିଲ୍ଡ କାଦୁଅ ହୋଇଯାଇଥିଲା। ତେଣୁ ସ୍ଥିତି ସମୀକ୍ଷା ପରେ ମ୍ୟାଚ୍କୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ଆଇପିଏଲରେ ଗୁଜରାଟ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ୨୦ ପଏଣ୍ଟ୍ ହାସଲ କରି ପଏଣ୍ଟ ଟେବୁଲର ସବା ଉପରେ ରହିଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ । ଆଜି ମ୍ୟାଚ ହେବାକୁ ଥିବା ଗୁଜରାଟର ଅହମ୍ମଦାବାଦର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ହୁଏ, ଆଉ ଖେଳ ହୋଇନପାରେ ତେବେ ଚେନ୍ନାଇର ପଞ୍ଚମ ଥର ପାଇଁ ଆଇପିଏଲ ଫାଇନାଲ ଜିତିବାର ଆଶା ଧୁଳିସାତ୍ ହୋଇପାରେ । ଯଦି ବର୍ଷା ହୁଏ ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ । ଆଉ ଯଦି ଖେଳିବା ଆଦୌ ସମ୍ଭବପର ନହୁଏ, ତେବେ ପଏଂଟ ଆଧାରରେ ଗୁଜରାଟକୁ ବିଜେତା ଘୋଷିତ କରାଯିବ । ଏନେଇ ଦୁଇ ଦଳର କୋଚଙ୍କ ସହ ଅମ୍ପୟାରମାନେ କଥା ହୋଇଥିବା ସୂଚନା ମିଳିଛି।