ନୂଆଦିଲ୍ଲୀ: ଏଆଇ-ଜେନେରେଟେଡ୍ ଭାଇରାଲ ଭିଡିଓକୁ ନେଇ ଏବେ ମୁହାଁମୁହିଁ କଂଗ୍ରେସ ଏବଂ ବିଜେପି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରେଡ୍-କାରପେଟ୍ କାର୍ଯ୍ୟକ୍ରମରେ ଚା ବିକ୍ରି କରୁଥିବାର ଦେଖାଯାଇଛି। କଂଗ୍ରେସ ନେତା ରାଗିଣୀ ନାୟକ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଏବେ ଏହା କିଏ କଲା ? ଭିଡିଓ ସାମ୍ନାକୁ ଆସିବାର କିଛି ସମୟ ପରେ ବିଜେପି କଂଗ୍ରେସକୁ ସମାଲୋଚନା କରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ଅପମାନ ବୋଲି କହିଛି।
ଭିଡିଓରେ କ'ଣ ଅଛି ?
ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀ ହାଲୁକା ନୀଳ କୋଟ୍ ଏବଂ କଳା ପ୍ୟାଣ୍ଟ ପିନ୍ଧି ଏକ କେଟଲି ଏବଂ ଏକ ଗ୍ଲାସ୍ ଚା ଧରିଥିବା ଦେଖାଯାଇଛି। ପୃଷ୍ଠଭୂମିରେ ଅନ୍ତର୍ଜାତୀୟ ପତାକା ଏବଂ ଭାରତୀୟ ପତାକା ପ୍ରଦର୍ଶିତ ହୋଇଛି। ଭିଡିଓଟି ଏଆଇ-ଜେନେରେଟେଡ୍ ହୋଇଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଭିଡିଓର କଡ଼ା ସମାଲୋଚନା କରି କହିଛନ୍ତି, ରେଣୁକା ଚୌଧୁରୀ ସଂସଦ ଏବଂ ସେନାକୁ ଅପମାନ କରିବା ପରେ ଏବେ ରାଗିଣୀ ନାୟକ ମୋଦୀଙ୍କ 'ଚାଏୱାଲା' ପରିହାସ କରିଛନ୍ତି।
ସେ କହିଛନ୍ତି କଂଗ୍ରେସ ଓବିସି ସମ୍ପ୍ରଦାୟରୁ ଆସିଥିବା ଜଣେ ପରିଶ୍ରମୀ ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। କଂଗ୍ରେସର ନେତା ୧୫୦ରୁ ଅଧିକ ଥର ମୋଦୀଙ୍କୁ ଅପମାନିତ କରିଛନ୍ତି। ତାଙ୍କ ମାଆଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି। ଦେଶ ଏହାକୁ କେବେ କ୍ଷମା କରିବ ନାହିଁ।
ପୂର୍ବ ଏଆଇ ଭିଡିଓ ବିବାଦ
ପୁନାୱାଲା ସେପ୍ଟେମ୍ବର ମାସରେ ବିହାର କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ଏକ ଏଆଇ ଭିଡିଓକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱପ୍ନରେ ତାଙ୍କ ସ୍ୱର୍ଗତ ମାଆଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା। ଏହି ଭିଡିଓ ରାଜନୈତିକ ବିବାଦ ସୃଷ୍ଟି କରିଥିଲା ଏବଂ ପାଟନା ହାଇକୋର୍ଟ କଂଗ୍ରେସକୁ ଏହାକୁ ସୋସିଆଲ ମିଡିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।