ଭୁବନେଶ୍ୱର: ରାସନକାର୍ଡରେ ଇ-କେୱାଇସି ସଂଯୋଗୀକରଣ ଦ୍ୱାରା ମୃତ, ଯୋଗ୍ୟ ଏବଂ ଅଯୋଗ୍ୟ ସମସ୍ତେ ଛାଣି ହୋଇଯାଇଛନ୍ତି । ଇ-କେୱାଇସି ଦ୍ୱାରା ପ୍ରାୟ ୭ ଲକ୍ଷ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ୨୦ ହଜାରରୁ ଉର୍ଦ୍ଧ୍ୱ ସରକାରୀ ଚାକିରଆ ରାସନ ଚାଉଳ ଖାଉଥିବାର ଧରାପଡ଼ିଛନ୍ତି । ତେବେ ଏହି ଇ-କେୱାଇସି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୃହରେ ସୂଚନା ଦେଇଛନ୍ତି ।
ବିଧାୟକ ଅଶ୍ୱିନୀ କୁମାର ପାତ୍ର ରାଜ୍ୟରେ ଇ-କେୱାଇସିରେ କରିଥୁବା ଖାଉଟିଙ୍କ ରାସନ୍ କାର୍ଡ ସଂଖ୍ୟା କେତେ, ଆୟକର ଦେଉଥିବା ବ୍ୟକ୍ତି, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଚାରି ଚକିଆ ଗାଡି, ଦୁଇ ଏକର ୫୦ ଡିସିମିଲ୍ ଜମି (ଏକ ହେକ୍ଟର) ଥିବା ବ୍ୟକ୍ତି ରାସନ୍ ଚାଉଳ ନେଉଥୁବା କାର୍ଡଧାରୀଙ୍କ ସଂଖ୍ୟା ସରକାର ନିରୂପଣ କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁଦ୍ଧା ଇ-କେୱାଇସି କରିସାରିଥିବା ଖାଉଟି ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୪୩ ହଜାର ୨୧୯, (ପ୍ରାୟ ୯୬%) । କିନ୍ତୁ ଇ-କେୱାଇସି କରିନପାରିଥିବା ବଳକା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ନିୟମିତ ଭାବରେ ତାଙ୍କ ରାସନ ସାମଗ୍ରୀ ପ୍ରଦାନ କରାଯାଉଅଛି ।
ସେହିପରି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମୟରେ, ଅଦ୍ୟାବଧି ୬ ଲକ୍ଷ ୯୪ ହଜାର ୬୮୧ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନିତ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆଯାଇଛି । ଆନ୍ତଃ ବିଭାଗୀୟ ଇ-କେୱାଇସି ଅଭିଯାନ ଫଳରେ, କ୍ଷେତ୍ର ତର୍ଜମା ସ୍ତରୀୟ ଯାଞ୍ଚ ସମୟରେ ୨୬ ନଭେମ୍ବର ୨୦୨୫ ସୁଦ୍ଧା, ୬ ଲକ୍ଷ ୯୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ୨୦ ହଜାର ୭୮୫ ଗୋଟି ସରକାରୀ ଚାକିରିଆ ବର୍ଗର କାର୍ଡ଼ ଯାହାଙ୍କର ପରିବାର ସଦସ୍ୟଙ୍କ ସଂଖ୍ୟା ୭୫ ହଜାର ୧୬ ରହିଛି । ସେହିପରି ୧୨ ହଜାର ୩୪୩ ଗୋଟି ଆୟକର ବର୍ଗର କାର୍ଡ ଯାହାଙ୍କର ପରିବାର ସଦସ୍ୟଙ୍କ ସଂଖ୍ୟା ୪୫ ହଜାର ୧୮୩ ରହିଥିଲା ଯେସମାନଙ୍କୁ ଅଯୋଗ୍ୟ ହିତାଧିକାରୀଭାବେ ଚିହ୍ନଟ କରାଯାଇ ରାସନକାର୍ଡରୁ ବାଦ ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅବା ଚାଷ ଜମି ପରିମାଣ ସମ୍ବନ୍ଧୀୟ ବାଦଦେବା ମାନଦଣ୍ଡ, ଖାଦ୍ୟ ସୁରକ୍ଷା ଯୋଜନାର ପରିସରଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।