ଖବର ଓଡ଼ିଶା: ବେକାରିମାନଙ୍କ ପାଇଁ ଖୁସି ଖବର ଆସିଛି । ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପରେ ଏଣିକି ବେକାର ଯୁବକମାନେ ପାଇବେ ଭତ୍ତା । ଏଭଳି ଏକ ଯୋଜନା ଆଣିଛନ୍ତି ମହାରାଷ୍ଟ୍ର ସରକାର । 'ଲାଡ଼ଲି ବେହେନ୍' ଯୋଜନା ପରେ ‘ଲାଡଲା ଭାଇ’ ଯୋଜନା ଆରମ୍ଭ କରିଛନ୍ତି ମହାରାଷ୍ଟ୍ର ସରକାର । ଯେଉଁଥିରେ ବେକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯିବ । ବୟସ ସୀମା ଅନୁସାରେ, ୬ ହଜାର ରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିବ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି ।
ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଯୋଜନା ଆଣିଥାନ୍ତି । ସେହିପରି ମହାରାଷ୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ଥୋପ ପକାଇବା ଆରମ୍ଭ କରିଛନ୍ତି ସରକାର । ବେକାର ଯୁବକ ଯୁବତୀଙ୍କୁ ଭତ୍ତା ବଣ୍ଟନ କରାଯିବ । ଆସନ୍ତା ମାସ ଠାରୁ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବ ବୋଲି ଆଶା କରାଯାଉଛି । ଏହି ଯୋଜନା ରାଜ୍ୟରେ ଥିବା ବେକାରୀମାନଙ୍କ ଉଦ୍ଦେଶ୍ୟରେ ଘୋଷଣା କରାଯାଇଛି । ୧୮ ରୁ ୩୫ ବର୍ଷ ଯୁବକ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଅଧିନରେ ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରତି ମାସରେ ୬ ହଜାର ଟଙ୍କା ମିଳିବ । ସେହିପରି ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୮ ହଜାର ଓ ସ୍ନାତକୋତ୍ତର ଶେଷ କରିଥିବା ଛାତ୍ରମାନଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ମିଳିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଝିଅ ଓ ପୁଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏହି ଯୋଜନା ବେରୋଜଗାରର ସମାଧାନ ଆଣିବ । ଲାଡଲା ଭାଇ ଯୋଜନା ଅଧୀନରେ ଯୁବକମାନେ କାରଖାନା ଏବଂ କାରଖାନାଗୁଡ଼ିକରେ ଶିକ୍ଷାଦାନର ସୁଯୋଗ ପାଇବେ । ଏଥିସହ ଛାତ୍ରବୃତ୍ତି ସରକାର ପ୍ରଦାନ କରିବେ। ଏହା ପର୍ବରୁ ମହାରାଷ୍ଟ୍ର ସରକାର ଲାଡଲି ବ୍ରାହ୍ମଣ ଯୋଜନା ଆଣିଥିଲେ । ଯେଉଁଥିରେ ୧୨ ରୁ ୬୦ ବର୍ଷ ମଧ୍ୟରେ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି ।
ବିଧାନସଭା ଅଧିବେଶନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ସହିତ ବେକାରୀ ସମସ୍ୟାକୁ ମୁଖ୍ୟତଃ ଉଠାଇଥିଲେ । ମଧ୍ୟପ୍ରଦେଶ ସରକାରଙ୍କ ଭଳି ମହିଳା ଓ ଯୁବକମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଦାବି କରିଥିଲେ । ଏହା ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଲାଡଲି ବ୍ରାହ୍ମଣ ଯୋଜନାକୁ ଦ୍ୱିତୀୟ ବଜେଟରେ ଆଣିଛନ୍ତି ।
ଆଗାମୀ ଅକ୍ଟୋବର ଏବଂ ନଭେମ୍ବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସିନ୍ଦେ ସରକାରର ଏହି ଯୋଜନା ଗେମ୍ ଚେଞ୍ଜର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।