ଚର୍ଚ୍ଚାରେ କୋହଲିଙ୍କ ଆଉ ଏକ ଶତକ: ୧୦୦ ଥର ୩୦+ ସ୍କୋର୍ କରିବାରେ ଆଇପିଏଲ୍ କୀର୍ତ୍ତିମାନ ଭୁବନେଶ୍ୱର, ଏପ୍ରିଲ ୨୨ (ଖବର ଓଡିଶା) Share story: ପୁଣି ଥରେ ଚର୍ଚ୍ଚାରେ ଆସିଲେ ବିରାଟ କୋହଲି। ଚଳିତ ଆଇପିଏଲ୍ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାଚ୍ରେ କୋହଲି ଅର୍ଦ୍ଧଶତକ (୫୯ ରନ୍) ହାସଲ କରିଥିଲେ। ଏହି ପାଳି ଅବସରରେ କୋହଲି ଆଉ ଏକ ଶତକୀୟ କୀର୍ତ୍ତିମାନ ସହ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ସର୍ବାଧିକ ୩୦+ ସ୍କୋର୍ କରିବାରେ ଶତକ ପୂରଣ କରି ଆଇପିଏଲ୍ରେ ଇତିହାସ ରଚିଛନ୍ତି। ୧୦୦ ଥର ପାଇଁ ୩୦+ ସ୍କୋର୍ କରିବାରେ ଆଇପିଏଲ୍ ଇତିହାସରେ ସେ ପ୍ରଥମ ବ୍ୟାଟର୍ ହେବାର କୀର୍ତ୍ତିମାନ ପାଇଛନ୍ତି। କୋହଲିଙ୍କ ପଛକୁ ଆଇପିଏଲ୍ରେ ସର୍ବାଧିକ ୩୦+ ସ୍କୋର୍ କରିଥିବା ବ୍ୟାଟର୍ଙ୍କ ତାଲିକାରେ ଶିଖର ଧାୱନ୍ (୯୧), ଡେଭିଡ୍ ୱାର୍ଣ୍ଣର (୯୦), ରୋହିତ ଶର୍ମା (୮୫) ଏବଂ ସୁରେଶ ରାଇନା (୭୭) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଗୁରୁବାର ମ୍ୟାଚ୍ରେ ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟାଟିଂ କରିଥିବା ବେଳେ ପୂର୍ବତନ ଅଧିନାୟକ କୋହଲି ଦଳର ନେତୃତ୍ବ ଭାର ତୁଲାଇଥିଲେ। ଫଳରେ କୋହଲି ଅଧିନାୟକ ଭାବେ ଆଇପିଏଲ୍ରେ ୬୫୦୦ ରନ୍ କରିବାରେ ପ୍ରଥମ ବ୍ୟାଟର୍ ମଧ୍ୟ ହୋଇଥିଲେ। ସେ ଏହି ମାଇଲଖୁଣ୍ଟ ଛୁଇଁବାକୁ ୧୮୬ ପାଳି ଖେଳିଛନ୍ତି। ତେବେ ଜଣେ ଖେଳାଳି ଭାବେ ଆଇପିଏଲ୍ରେ କୋହଲିଙ୍କ ମୋଟ ରନ୍ ୬୯୦୩ ରହିଥିଲା ବେଳେ ସେ ଏକ୍ଷେତ୍ରରେ ମଧ୍ୟ ପ୍ରଥମ ବ୍ୟାଟର୍ ଭାବେ ଆଗକୁ ବଢ଼ି ଚାଲିଛନ୍ତି। ପୁଣି ଆଇପିଏଲ୍ରେ ୬୦୦ ଚୌକା ମାରିବାରେ ଶିଖର ଧାୱନ୍ (୭୩୦, ୨୧୦ ମ୍ୟାଚ୍) ଏବଂ ଡେଭିଡ୍ ୱାର୍ଣ୍ଣର (୬୦୮, ୧୬୭ ମ୍ୟାଚ୍)ଙ୍କ ପରେ କୋହଲି ତୃତୀୟ ବ୍ୟାଟର୍ ହୋଇଥିଲେ। ଏପ୍ରିଲ ୨୦ ତାରିଖ ସୁଦ୍ଧା ଆଇପିଏଲ୍ରେ କୋହଲିଙ୍କ ମୋଟ ଚୌକା ସଂଖ୍ୟା ୬୦୩ (୨୨୯ ମ୍ୟାଚ୍)ରେ ପହଞ୍ଚିଛି। କୋହଲି ମଧ୍ୟ ଚଳିତ ଆଇପିଏଲ୍ରେ ୬ ମ୍ୟାଚ୍ରୁ ୨୭୯ ରନ୍ ସଂଗ୍ରହ କରି ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ତୃତୀୟରେ ରହିଛନ୍ତି। କୋହଲିଙ୍କ ଆର୍ସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ (୩୪୩ ରନ୍, ୬ ମ୍ୟାଚ୍) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୨୮୫ ରନ୍, ୬ ମ୍ୟାଚ୍) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟରେ ରହିଛନ୍ତି। ତେବେ କୋହଲିଙ୍କ ଏହି ସଫଳତାକୁ ନେଇ ତାଙ୍କ ପ୍ରଶଂସକ ମାନେ ବେଶ୍ ଆନନ୍ଦିତ ଅଛନ୍ତି। Virat Kohli Virat kohli records 30+ score century 600+ four Royal Challengers Bangalore Khabar odisha ଖବର ଓଡ଼ିଶା, Reporter, 22/04/2023