କୋଲକାତା: ଦୁଷ୍କର୍ମ ମାମଲାରେ ମହିଳାଙ୍କୁ ନ୍ୟାୟ ଦେବାକୁ ପଶ୍ଚିମବଙ୍ଗ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମମତା ବାନାର୍ଜୀଙ୍କ ସରକାର ବିଧାନସଭାରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଧେୟକକୁ ପାରିତ କରିଛନ୍ତି । ଏହା ସହ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି ପଶ୍ଚିମବଙ୍ଗ ସରକାର । ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲକୁ ଆଗତ କରାଯାଇଛି ।
କୋଲକାତା ଆର.ଜି କର ମେଡ଼ିକାଲର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପରେ ପଶ୍ଚିମବଙ୍ଗ ସରକାର ମଙ୍ଗଳବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଏ ସମ୍ପର୍କିତ ବିଲକୁ ଆଗତ କରିଥିଲେ । ସର୍ବସମ୍ମତି କ୍ରମେ ଏହି ବିଧେୟକ ପାରିତ ହୋଇଯାଇଛି । ବିଧାନସଭାରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଧେୟକକ ପାରିତ ହୋଇଛି । ଏହା ପରେ ବିଧାନସଭାରେ ରାଜ୍ୟପାଳଙ୍କ ଅନୁମୋଦନ ପଠାଯିବ । ଏହି ବିଲ ଆଧାରରେ ମାମଲାରେ ତ୍ଵରିତ ଶୁଣାଣି କରାଯାଇ ଦୋଷୀକୁ ଦଶ ଦିନ ମଧ୍ୟରେ ଦଣ୍ଡ ବିଧାନ କରିବାର ବ୍ୟବସ୍ଥା ରହିଛି । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାର ବିଧାନ ରହିଛି ।
ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି । ସେ କହିଛନ୍ତି, ଏହି ବିଲ୍ ସରକାରୀ ଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ। ସେ ଆହୁରି କହିଛନ୍ତି ଯେ ପ୍ରଥମେ ଆଇନ ପ୍ରଣୟନ ହେଲା ପରେ ଅପରାଜିତା ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯିବ ।
ତେବେ ବିରୋଧୀ ବିଜେପି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛି । ମାତ୍ର ବିଲରେ କିଛିଟା ସଂଶୋଧନର ଆବଶ୍ୟକତା ଥିବା ଦର୍ଶାଇଥିଲେ ବିଜେପି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ମାତ୍ର ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି ।