ନୂଆଦିଲ୍ଲୀ: ଦେଶର ନାମୀଦାମୀ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଆସିଛି ଯୌନ ଉତ୍ପୀଡ଼ନ ମାମଲା । ହିମାଚଳ ପ୍ରଦେଶ ମଣ୍ଡି ସ୍ଥିତ ଆଇଆଇଟିରେ ପିଏଚ.ଡି କରୁଥିବା ଦୁଇ ଜଣ ଯୁବତୀଙ୍କ ସହିତ ଦୁର୍ବ୍ୟବହାର ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ କଲେଜର ଜଣେ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏ ନେଇ ଆଇଆଇଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଆଇଆଇଟି ମଣ୍ଡିର ରେଜିଷ୍ଟାର୍ଡ ସମ୍ଭବ ପାଣ୍ଡେଙ୍କ ସୂଚନା ମୁତାବକ, ପିଏଚ.ଡି କରୁଥିବା ଦୁଇ ଜଣ ଯୁବତୀ ଯୌନ ଉତ୍ପୀଡ଼ନ ନେଇ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ମହିଳାଙ୍କ ବିରୋଧରେ ହେଉଥିବା ମାମଲାର ଶୁଣାଣି ପାଇଁ କଲେଜରେ ଗଠିତ ଅନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଏ ନେଇ ତଦନ୍ତ କରିଥିଲା । କମିଟିର ରିପୋର୍ଟ ଆଧାରରେ ସମ୍ପୃକ୍ତ ପ୍ରଫେସରଙ୍କୁ ଚାକିରିରୁ ନିବୃତ୍ତ କରାଯାଇଛି । ତେବେ ସମ୍ପୃକ୍ତ ପ୍ରଫେସର ଏହି ପଦକ୍ଷେପ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଦୁଇ ଦିନ ତଳେ ଆଇଆଇଟି କାନପୁରର ଜଣେ ଛାତ୍ରୀ ସାଇବର କ୍ରାଇମ ବିଭାଗର ଜଣେ କାର୍ୟ୍ୟରତ ଏସିପିଙ୍କ ବିରୋଧ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୁଲିସ ମାମଲାକୁ ଗ୍ରହଣ କରି ଉଭୟ ଛାତ୍ରୀ ଓ ଏସିପିଙ୍କ ମୋବାଇଲକୁ ଜବତ କରି ଯାଞ୍ଚ କରୁଛି । ଏହା ସହିତ କଲେଜର ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି ।