ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା) :
ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କ୍ଷମା କରିବାକୁ ନିର୍ଭୟା ମାଆ ଆଶା ଦେବୀଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଏବେ ନିର୍ଭୟାଙ୍କ ମାଆ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୋତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ ? ସମ୍ପୂର୍ଣ୍ଣ ଦେଶ ଦୋଷୀଙ୍କ ଫାଶୀ ଚାହୁଁଛି। ତାଙ୍କ ଭଳି ଲୋକଙ୍କ କାରଣରୁ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳୁନାହିଁ। ମୁଁ କେବେ ଦୋଷୀଙ୍କୁ କ୍ଷମା କରିବି ନାହିଁ। ଭଗବାନ ବି ଯଦି ଆସି କହିବେ ଆଶା କ୍ଷମା କରି ଦେ ତେବେ ସୁଦ୍ଧା ମୁଁ କ୍ଷମା କରିବି ନାହିଁ।
ସୂଚନାଯୋଗ୍ୟ, ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଗତ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ସେ ପତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରି ଦେଇଥିଲେ। ସେହିପରି ନିର୍ଭୟାଙ୍କ ମାଆଙ୍କୁ କ୍ଷମା କରିଦେବା ଉଚିତ୍। ଏହାକୁ ନେଇ ନିର୍ଭୟାଙ୍କ ମାଆ କହିଛନ୍ତି ଯେ, କିଛି ବର୍ଷ ହେବ ସୁପ୍ରିମକୋର୍ଟରେ ତାଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି। ସେ ଥରେ ମାତ୍ର ହାଲଚାଲ ପଚାରି ନାହାଁନ୍ତି। ଆଜି ସେ ଅଭିଯୁକ୍ତଙ୍କୁ କ୍ଷମା କରିବା କଥା କହୁଛନ୍ତି। ଏହିଭଳି ଲୋକଙ୍କ କାରଣରୁ ଦୁଷ୍କର୍ମ ଘଟଣା ଥମୁ ନାହିଁ। ବରଂ ସେମାନେ ଭ୍ରମିତ ପରାମର୍ଶ ଦେଇ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି।
୧୬ ଡିସେମ୍ବର ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତମାନଙ୍କୁ ଆସନ୍ତା ଫେବୃଆରୀ ୧ରେ ଫାଶୀ ଦଣ୍ଡ ଧାର୍ଯ୍ୟ କରିଛନ୍ତି।