ନୂଆଦିଲ୍ଲୀ, ଜାନୁଆରୀ ୨୯ (ଖବର ଓଡ଼ିଶା) :
ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିବା ନିର୍ଭୟା ବଳାତ୍କାରୀ ମୁକେଶକୁ ସର୍ବୋଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଛି। ଅଦାଲତ ମୁକେଶର ଯାଚିକା ଖାରଜ କରିଛନ୍ତି। ଏବେ ମୁକେଶ ପାଇଁ ଆଇନର ସବୁ ଗଳାବାଟ ବନ୍ଦ ହୋଇଯାଇଛି। ଏନେଇ ଅଦାଲତ କହିଛନ୍ତି ଯେ, ଜେଲରେ ମୁକେଶ ସହ କଥିତ ଖରାପ ବ୍ୟବହାର ପାଇଁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ରିଭ୍ୟୁ ପରିସରଭୁକ୍ତ କରାଯିବ ନାହିଁ। ରାଷ୍ଟ୍ରପତିଙ୍କ ଦ୍ଵାରା ଖୁବ୍ ଶୀଘ୍ର ଯାଚିକା ଖାରଜ କରାଯିବାର ଅର୍ଥ ନୁହେଁ ଯେ ଏଥିପାଇଁ ରାଷ୍ଟ୍ରପତି ବିବେକ ଦେଖାଇ ନାହାଁନ୍ତି।
ତେବେ ସୁପ୍ରିମକୋର୍ଟରୁ ଯାଚିକା ଖାରଜ ହେବାପରେ ଅଭିଯୁକ୍ତ ମୁକେଶର ଓକିଲ ଏପି ସିଂହ ରାଜକ୍ଷମା ଯାଚିକା ଖାରଜର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ସରକାର ଖୋଦ୍ କହିଛନ୍ତି ଯେ, ବିଜୁଳି ଗତିରେ ରାଜକ୍ଷମା ଖାରଜ କରାଯାଇଛି। ସେହିପରି ନିର୍ଭୟାର ଅନ୍ୟ ଦୋଷୀ ଅକ୍ଷୟ ଏବେ କ୍ୟୁରେଟିଭ୍ ପିଟିସ୍ ଦାଖଲ କରିଛି। ଏସମ୍ପର୍କରେ ଏପି ସିଂହ କହିଛନ୍ତି ଯେ, କ୍ୟୁରେଟିଭ୍ ପିଟିସନ୍ ନୂତନ ଗ୍ରାଉଣ୍ଡରେ ଦାଖଲ କରାଯାଇଛି।
ଅପର ପକ୍ଷରେ ଏନେଇ ନିର୍ଭୟାଙ୍କ ମା କହିଛନ୍ତି ଯେ, ଅଭିଯୁକ୍ତମାନେ ଫାଶୀ ଠାରୁ ବର୍ତ୍ତିବା ପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା ଆମକୁ ନୟାୟ ନିଶ୍ଚିନ୍ତ ମିଳିବ। ଫାଶୀ ସେବେ ହେବ ଯେତେବେଳେ ୪ ଜଣଙ୍କ କାନୁନ ବିକଳ୍ପ ଶେଷ ହୋଇଯିବ।