ଭୁବନେଶ୍ୱର: ମାତ୍ର ୧୨ ବର୍ଷର ନାବାଳିକାକୁ ସହାୟିକା ଭାବରେ ରଖି ଦେଉଥିଲେ ଅକଥନୀୟ ନିର୍ଯ୍ୟାତନା । ଏମିତିକି ଟିକେ ଭୁଲ ହେଲେ ଦେଉଥିଲେ ନିର୍ଧୁମ ମାଡ଼ । ଶେଷରେ ଜୀବନ ବିକଳରେ ସେଠାରୁ ଲୁଚି ପଳାଇ ଆସିଛନ୍ତି ନାବାଳିକା । ରାଜଧାନୀର ଶୈଳଶ୍ରୀ ବିହାର ଜିଏ ପ୍ଲଟ୍ ୪୧୬ ନମ୍ବରରେ ରହୁଥିବା ଜଣେ ବିଶିଷ୍ଠ ବ୍ୟବସାୟୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି ।
ନାବାଳିକାର ଘର କେନ୍ଦୁଝର ହୋଇଥିବାବେଳେ ତାଙ୍କ ପରିବାର ଦାରିଦ୍ର୍ୟତା ଦେଇ ଗତି କରୁଥିଲା । ଆର୍ଥିକ ଅନଟନ ଯୋଗୁଁ ପରିବାର ଲୋକେ ଝିଅର ପାଠ ପଢ଼ା ବନ୍ଦ କରିଦେଇଥିଲେ । ଭୁବନେଶ୍ୱରର ଜଣେ ବ୍ୟବସାୟୀ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ । କିନ୍ତୁ ଘରେ ନାନାଦି କାମ କରାଉଥିଲେ । ଟିକେ ଟିକେ ଭୁଲ କଲେ ମାଲିକାଣୀ ନିସ୍ତୁକ ମାଡ଼ ମାରିବା ସହିତ ଚେଙ୍କ ମଧ୍ୟ ଦେଉଥିଲେ । ତେବେ ଗତକାଲି ତାଙ୍କୁ ମାଡ଼ ମାରିବାରୁ ଦେହରୁ ରକ୍ତ ବାହାରିଥିଲା । ଏହା ପରେ ନାବାଳିକାକୁ ଗୋଟିଏ କୋଠରୀରେ ବନ୍ଦ କରି ରଖି ଦେଇଥିଲେ । ଆଜି ସକାଳୁ ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ମୁକୁଳି ପଳାଇ ଆସିଥିଲା । ରାସ୍ତାରେ କାନ୍ଦି କାନ୍ଦି ଯାଉଥିବାବେଳେ ସ୍ଥାନୀୟ ଲୋକେ ଦେଖି ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେବା ସହିତ ଶିଶୁ ସରୁକ୍ଷା କମିଟିକୁ ଜଣାଇଥିଲେ ।
ଏହା ପରେ ରୁଚିକା ସମାଜ ମଙ୍ଗଳ ନାମକ ଏକ ସଂଗଠନ ନାବାଳିକାକୁ ଉଦ୍ଧାର କରିବା ସହିତ ଉକ୍ତ ଘର ମାଲିକାଣୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ଶିଶୁ ସୁରକ୍ଷା କର୍ମୀ ହରପ୍ରିୟା ପତି କହିଛନ୍ତି ।