ଭୁବନେଶ୍ୱର: ଆତ୍ମାହୁତି ଦେଇଥିବା ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଭୋଗରାଇ ବ୍ଲକ୍ ପଳାସିଆ ଗ୍ରାମରେ ଶୋକାକୁଳ ପରିବେଶରେ ସୌମ୍ୟାଶ୍ରୀଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ଼ ଭାଇ ଲୁହ ଭିଜା ଆଖିରେ ସାନ ଭଉଣୀକୁ ମୁଖାଗ୍ନି ଦେଇଛନ୍ତି ।
ଦୀର୍ଘ ତିନି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଭୁବନେଶ୍ୱର ଏମ୍ସରେ ସୋମବାର ବିଳମ୍ବିତ ରାତି ୧୧ଟା ୪୬ ମିନିଟ୍ ସମୟରେ ସୌମ୍ୟାଶ୍ରୀ ଆଖି ବୁଜିଥିଲେ । ପରିବାର ସହମତି କ୍ରମେ ରାତିରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ପୈତୃକ ଗାଁକୁ ପାର୍ଥିବ ଶରୀର ନିଆଯାଇଥିଲା । ମଙ୍ଗଳବାର ସକାଳେ ପଳାସିଆ ଗ୍ରାମରେ ସୌମ୍ୟାଶ୍ରୀଙ୍କ ପାର୍ଥିବ ଶରୀର ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ଗାଁ । ପରିବାରଠାରୁ ଆରମ୍ଭ କରି, ସାହି ପଡ଼ିଶା, ସାଙ୍ଗ ସାଥୀ, ତାଙ୍କ ଶିକ୍ଷକ ସମସ୍ତଙ୍କ ଆଖିରେ ଥିଲା କେବଳ ଲୁହ । ଶେଷରେ ଗାଁ ମଶାଣୀରେ ସୌମ୍ୟାଶ୍ରୀଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ଗତ ୧୨ ତାରିଖ, ଶନିବାର ମଧ୍ୟାହ୍ନ ସମୟରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଶେଷ ବୈଠକ କରିବା ପରେ ସୌମ୍ୟାଶ୍ରୀ ହଠାତ୍ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ସେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଅଧ୍ୟାପକ ସମୀର ସାହୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ସେ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ପରୀକ୍ଷା ଦେବାରୁ ମଧ୍ୟ ବଞ୍ଚିତ କରାଯାଇଥିଲା । କିନ୍ତୁ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ବାରମ୍ବାର କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଅଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୌମ୍ୟାଶ୍ରୀଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ିଯାଇଥିଲା । ବାଲେଶ୍ୱରରୁ ଏମସକୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଏଁ ସମସ୍ତେ ସୌମ୍ୟାଶ୍ରୀଙ୍କ ପରିବାର ଭେଟି ଆରୋଗ୍ୟ କାମନା କରିଥିଲେ । କ୍ରିଟିକାଲ କେୟାର ୟୁନିଟରେ ତିନି ଦିନର ଲଢ଼େଇ ପରେ ଶେଷରେ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଦେହ ତ୍ୟାଗ କରିଥିଲେ ।
ଏହି ମାମଲାରେ ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁ ଓ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ନିଲମ୍ବନ କରାଯିବା ସହିତ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶ୍ୱାସନା ଦେଇଛନ୍ତି ।