ଖବର ଓଡ଼ିଶା: ଯେଉଁ ବାଉଁଶ କାରିଗରୀ ଦିନେ ଜୀବିକା ଦେଇଥିଲା, ଆଜି ସେହି ବାଉଁଶ କାରିଗରୀ ସମ୍ମାନ ଦେଇଛି । ବାଉଁଶ କାରିଗରୀକୁ ଆପଣାଇ ନିଜକୁ ଏକ ସ୍ୱାବଲାମ୍ବି ମହିଳାଭାବେ ଗଢ଼ି ତୋଳିଥିବା ନଳିନୀ ପ୍ରଧାନଙ୍କୁ ଦିଲ୍ଲୀରୁ ଡକରା ଆସିଛି । ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଝାରସମରା ଗାଁର ନଳିନୀ ପ୍ରଧାନଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ଆସନ୍ତା ଅଗଷ୍ଟ ୧୫ତାରିଖ ସ୍ୱାଧାନତା ଦିବସ ଉପଲକ୍ଷେ ଦିଲ୍ଲୀ ଯିବେ ନଳିନୀ ।
ଅଗଷ୍ଟ ୧୫ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ସମାରୋହରେ ହେବାକୁ ଥିବା ସ୍ୱାଗତ ସମାରୋହରେ ସେ ଯୋଗଦେବ । ଗତ ଦୁଇଦିନ ତଳେ ଶ୍ରୀମତୀ ପ୍ରଧାନଙ୍କୁ ଡ଼ାକ ଯୋଗେ ଏହି ନିମନ୍ତ୍ରଣ ପତ୍ର ସହିତ ସ୍ୱତନ୍ତ୍ର ପାସ୍ ମିଳିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ମିଳିବା ପରେ ଝାରସମରା ଗାଁରେ ଖୁସିର ଲହରି ଖେଳିଯାଇଛି । ନିମନ୍ତ୍ରଣ ପତ୍ର ପାଇ ସେ ବହୁତ ଖୁସି ଥିବା ନଳିନୀ କହିଛନ୍ତି ।
ନଳିନୀ ପ୍ରଧାନ ଗତବର୍ଷ ଭାରତ ସରକାରଙ୍କ ବିଶ୍ଵକର୍ମା ଯୋଜନାରେ ବାଉଁଶରୁ ଘର କରଣା ଜିନିଷ ତିଆରି କରିବା ପ୍ରଶିକ୍ଷଣ ନେଇଥିଲେ । ବାଉଁଶରୁ କୁଲା, ଟୋକେଇ, ଗୁଲି ଆଦି ତିଆରି କରିବା ଆରମ୍ଭ କରିଥିଲେ । ଏହା ପରେ ଏହି ବାଉଁଶ ତିଆରି ଜିନିଷ ତାଙ୍କୁ ଜୀବିକାର ବାଟ ଦେଖାଇଥିଲା । ପୂର୍ବରୁ କେବଳ ଚାଷ ବାସ କାମ କରି ପରିବାର ଚାଲୁଥିବା ନଳିନୀ ବାଉଁଶ ତିଆରି ଜିନିଷକୁ ବିକ୍ରି କରିବା ଆରମ୍ଭ କରିଦେଥିଲେ । ଫଳରେ ଧିରେ ଧିରେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇଥିଲା । ସେ ଏବେ ଦକ୍ଷ, କୁଶଳୀ ଏବଂ ସ୍ୱାବଲାମ୍ବି ମହିଳା ହୋଇ ପାରିଛନ୍ତି । ଏଥିପାଇଁ ତାଙ୍କୁ ଚଳିତ ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ ଆସିଛି ।