କେନ୍ଦ୍ରାପଡ଼ା: କେତେ ଆଶା ଏବଂ ସ୍ୱପ୍ନ ନେଇକି ଶାଶୁ ଘରକୁ ଯାଇଥିବା ଝିଅର ବାହାଘର ବର୍ଷଟିଏ ବି ତିଷ୍ଠି ପାରିଲାନି । ସୁନାର ସଂସାର ଗଢ଼ିବାକୁ ଯେଉଁ ଘର ଏରୁଣ୍ଡିରେ ପାଦ ଥାପି ଥିଲା, ଆଜି ସେହି ଘରୁ ମିଳିଛି ଝୁଲନ୍ତା ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧିନସ୍ଥ ସତଘରିଆ ଗାଁରେ । ମୃତ ନବବଧୂ ଜଣକ ହେଲେ ସୋନାଲୀ ବେହେରା । ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ସୋନାଲୀଙ୍କ ସ୍ୱାମୀ ମହେଶ୍ଵର ନାଥଙ୍କୁ ଗିରଫ କରିଛି ।
ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳ ବାଲିପାଟଣା ଗାଁର ପ୍ରହଲ୍ଲାଦ ବେହେରାଙ୍କ ଝିଅ ସୋନାଲୀ ବେହେରାଙ୍କର ରାଜକନିକା ଥାନା ଓଳାଭରର ସାତଘରିଆ ଗାଁରେ ପିତାମ୍ଵର ନାଥଙ୍କ ପୁଅ ମହେଶ୍ଵର ନାଥ(୨୭) ଙ୍କ ସହିତ ବିବାହ ଘର ସ୍ଥିର ହୋଇଥିଲା । ଗତ ଜୁଲାଇ ୧୨, ୨୦୨୪ରେ ବୈଦିକ ରୀତି ନାତିରେ ବନ୍ଧୁବାନ୍ଧବଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଥିଲା । ବର ପକ୍ଷଙ୍କ ଦାବି ମୁତାବକ ଜାନି ଯୌତୁକ ଆକାରରେ ୫୦ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଓ ଘରକରଣା ଜିନିଷପତ୍ର ଦିଆଯାଇଥିଲା । ଏହା ପରେ ସୋନାଲୀ ବେଶ ଖୁସିରେ ନିଜର ବୈବାହିକ ଜୀବନ ଆରମ୍ଭ କରିଥିଲେ ।
ପ୍ରଥମ ଦୁଇ ମାସ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ସୋନାଲିଙ୍କର ଦୁଃଖର କାହାଣୀ । ସୋନାଲି ଦେଖିଥିବା ସୁନେଲି ସ୍ଵପ୍ନ ଭାଙ୍ଗି ଯାଇଥିଲା । ବାପଘରୁ ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ବାରମ୍ବାର ଚାପ ପକାଇଥିଲେ ଶାଶୁଘର ଲୋକେ । ଗାଳି ଗୁଲଜ କରିବା ସହିତ ଦିଆଯାଇଥିଲା ମାଡ଼ । ଏମିତିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା ।
ହଠାତ ଗତକାଲି ପ୍ରହଲ୍ଲାଦ ଖବର ପାଇଥିଲେ ଯେ ତମ ଝିଅ ଗୋଟିଏ ଘରେ କବାଟ କିଳିଦେଇଛି, ଡାକିଲେ ଶୁଣୁନି । ଖବରପାଇ କାଲି ସନ୍ଧ୍ୟା ୬ଟା ସମୟରେ ପହଞ୍ଚି ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ସନ୍ଧ୍ୟାରେ ଅତିରିକ୍ତ ତହସିଲଦାର ଦେବବଲ୍ଲଭ ସେଠୀଙ୍କ ଉପସ୍ଥିତିରେ ପୁଲିସ ଘରର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ସୋନାଲୀଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ଆତ୍ମହତ୍ୟା ନୁହେଁ ବରଂ ଶାଶୁଘର ଲୋକମାନେ ମିଳିମିଶି ଝିଅକୁ ମାରିଦେଇଥିବା ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି ପ୍ରହଲ୍ଲାଦ ବେହେରା । ପୁଲିସ ସାତଘରିଆ ଗାଁକୁ ଯାଇ ସ୍ୱାମୀ ମହେଶ୍ୱର କୁ ଥାନା କୁ ଆଣି ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ଅନ୍ୟପକ୍ଷରେ ମୃତ ଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ତେବେ ମାମଲାରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l