ଖବର ଓଡ଼ିଶା: ଯଦି ମନରେ ଆଗକୁ ବଢ଼ିବାକୁ ଦୃଢ଼ ଇଚ୍ଛା ଶକ୍ତି ଅଛି ତାହା ହେଲେ ଜଣେ ସବୁ ବାଧାବିଘ୍ନକୁ ଅତି ସହଜରେ ଅତିକ୍ରମ କରିଯିବ । ଯଦି ନିଜ ପାଖରେ ପ୍ରତିଭା ଅଛି ତାହେଲେ କାହାର ସାହାଯ୍ୟ ବି ଲୋଡ଼ା ନାହିଁ । କଥାରେ କୁହନ୍ତି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଜଣେ ଧୋବଣୀର ଝିଅ ହୋଇ ନିଜର କଠିନ ପରିଶ୍ରମ ବଳରେ ସୁଦୂର ଆମେରିକା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ସେ ହେଉଛନ୍ତି ଉତ୍ତର ପ୍ରଦେଶର ଜଣେ ୧୬ ବର୍ଷ ବୟସର ଝିଅ ଦୀପାଲି କନୌଜିଆ ।
ଦୀପାଲି କନୌଜିଆ ଆମେରିକାର ବୈଦେଶିକ ବିଭାଗ କେନେଡ଼ି ଲୁଗାରର ୟୁଥ୍ ଏକ୍ସଚେଞ୍ଜ ଆଣ୍ଡ ଷ୍ଟଡି ବା Youth Exchange and Study (YES) ପାଇଁ ସେ ଚୟନ ହୋଇଛନ୍ତି । YES ଛାତ୍ରମାନେ ନିଜ ଦେଶର “ଯୁବ ରାଷ୍ଟ୍ରଦୂତ” ଭାବରେ କାର୍ଯ୍ୟ କରନ୍ତି । ଏଥିପାଇଁ ତାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏହି ଛାତ୍ରବୃତ୍ତି ଗୋଟିଏ ଶିକ୍ଷାବର୍ଷ ପାଇଁ ଦିଆଯାଏ । ଏହି ଯୋଜନା ଅଧୀନରେ, ଗୁରୁତ୍ୱପୂର୍ଣ୍ଣ ଦେଶଗୁଡିକର ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କୁ ଆମେରିକାରେ ନିମନ୍ତ୍ରଣ କରାଯାଇଛି । ଆସନ୍ତା ଅଗଷ୍ଟ ୧୯ ତାରିଖରେ ଆମେରିକା ଗସ୍ତ କରିବେ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ମନୋନୀତ ହେବା ପରେ ଦୀପାଲି ବହୁତ ଖୁସି ଅଛନ୍ତି । ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ।
କେମିତି ଥିଲା ଦୀପାଲିଙ୍କ ଯାତ୍ରା-
ଉତ୍ତର ପ୍ରଦେଶର ଦୀପାଲି ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଅଟନ୍ତି । ୧୬ ବର୍ଷିୟା ଦୀପାଲି କନୌଜିଆ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି । ସେ ପ୍ରେରଣା ବାଳିକା ବିଦ୍ୟାଳୟରେ ପାଠ ପଢ଼ନ୍ତି । ମାତ୍ର ଗୋଟିଏ କୋଠରୀରେ ରହି ସେ ପାଠ ପଢ଼ିବା ଆରମ୍ଭ କରିଥିଲେ । ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ଟ୍ୟୁସନ୍ କରି ନିଜର ପାଠ ପଢ଼ା ଖର୍ଚ୍ଚ ଉଠାନ୍ତି । ଦେଶରେ ମନୋନୀତ ହୋଇଥିବା 30 ଜଣ ଛାତ୍ରଙ୍କ ମଧ୍ୟରୁ ଦୀପାଲି ଅନ୍ୟତମ । ସେ କହିଛନ୍ତି ଯେ ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ପାଇଁ ମୁଁ ସମଗ୍ର ଭାରତରୁ ମନୋନୀତ ହୋଇଥିବା 30 ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ବିଭିନ୍ନ ସଂସ୍କୃତି ବିଷୟରେ ଜାଣିବାକୁ ଆଗ୍ରହୀ ଅଛି । ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ ସେ ଭାରତ ତଥା ବିଦେଶର ଛାତ୍ରମାନଙ୍କ ଚିନ୍ତାଧାରା ଏବଂ ସଂସ୍କୃତି ଜାଣିବା ଓ ବୁଝିବାର ସୁଯୋଗ ପାଇବେ ।