"ଦ କେରଳ ଷ୍ଟୋରି" କୁ ନେଇ ଏବେ ବିବାଦ ସୃଷ୍ଟି
Khabar Odisha:Controversy-has-arisen-over-The-Kerala-Story
Khabar Odisha:2/05/2023

ରିଲିଜ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' ଫିଲ୍ମ । ନିର୍ଦ୍ଦେଶକ ସୁଦୀପ୍ତ ସେନ ତଥା ଅଦା ଶର୍ମାଙ୍କ ଅଭିନୀତ ଏହି ମୁଭିଟି ଆସନ୍ତା ୫ ତାରିଖରେ ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଛି। କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ନ କରିବାକୁ ବୋଲି ଦାବି କରିଛନ୍ତି। ଏହି ଫିଲ୍ମରେ ଦାବି କରାଯାଇଛି ଯେ କେରଳର ୩୨ ହଜାର ଝିଅ ନିଖୋଜ ହୋଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ସେମାନେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସରେ ସାମିଲ ହୋଇଥିଲେ। ଏହି ତଥ୍ୟକୁ ଲୁଚାଇ ରଖାଯାଇଥିବା ବେଳେ ଏବେ ସତ ସାମ୍ନାକୁ ଆସିଛି। ନିଖୋଜ ଝିଅମାନଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ଏହି ସିନେମାର ଟ୍ରେଲରରେ ଦାବି କରାଯାଇଛି। କିନ୍ତୁ ୩୨ ହଜାର କେରଳ ଝିଅ କେବେ ନିଖୋଜ ହେଲେ? କେଉଁ ଆଧାରରେ ଏହି ସଂଖ୍ୟା ପ୍ରକାଶ କରାଗଲା? ଜାତିସଂଘ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା କୌଣସି ରିପୋର୍ଟରେ ଏହି ସଂଖ୍ୟା ନଥିବା ବେଳେ ଫିଲ୍ମ ନିର୍ମାତା ଏହାକୁ କେଉଁଠୁ ଆଣିଲେ? କେମିତି ସତ କାହାଣୀ ଉପରେ ଏହା ଆଧାରିତ ହେଲା? ହିନ୍ଦୁ ଓ ଖ୍ରୀଷ୍ଟିୟାନ ଝିଅମାନଙ୍କୁ କ’ଣ ସତରେ ଧର୍ମ ପରିବର୍ତ୍ତନ କରି ସିରିୟା ଓ ଆଫଗାନିସ୍ତାନ ପଠାଯାଇଥିଲା? ଏମିତି ଅନେକ ପ୍ରଶ୍ନ ଉଠିଥିବା ବେଳେ କେରଳ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହା ବିରୋଧରେ ସ୍ୱର ଉଠାଇଛନ୍ତି। ଏସବୁ ଭିତରେ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତ୍ରୀ ପୂରା ବିବାଦରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ The Kerala Story ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛି। ମୁସଲିମମାନଙ୍କୁ ନୁହେଁ । ସେହିପରି ପୂରା ଫିଲ୍ମରେ କେରଳ ବିରୋଧରେ କୌଣସି କଥା ନାହିଁ ବୋଲି ଦାବି କରିଛନ୍ତି। ଏହି ବିବାଦୀୟ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତ ସେନ କହିଛନ୍ତି, “ଅନେକ ମାସର ରିସର୍ଚ୍ଚ ପରେ ମୁଁ ଫିଲ୍ମ ତିଆରି କରିଛି। କୌଣସି ପ୍ରଯୋଜକ ଏହି ଫିଲ୍ମ ପାଇଁ ରାଜି ନଥିଲେ। ମୁଁ ପୀଡ଼ିତଙ୍କ ସହ କଥା ହେବା ପରେ ମୋର ଆଭିମୁଖ୍ୟ ବଦଳି ଥିଲା। ମୋତେ ସେମାନଙ୍କ କାହାଣୀ ବେଶ ଛୁଇଁଛି”। ଫିଲ୍ମର ପ୍ରଯୋଜକ ବିପୁଲ ଶାହ କହିଛନ୍ତି, “ସିନେମାରେ କେରଳ ବିରୋଧରେ କିଛି ବି ନାହିଁ। ଫିଲ୍ମରେ କୌଣସି ପ୍ରକାରର ଆପତ୍ତିଜନକ ଜିନିଷ ନାହିଁ। ଫିଲ୍ମରେ ଆତଙ୍କବାଦୀଙ୍କୁ କେବଳ ଟାର୍ଗେଟ କରାଯାଇଛି। ମୁସଲିମମାନଙ୍କୁ କୌଣସି ପ୍ରକାରରେ ଟାର୍ଗେଟ କରାଯାଇନି। କେରଳ ମୁଖ୍ୟମନ୍ତ୍ରୀ ସିନେମାକୁ ଥରେ ଦେଖନ୍ତୁ”। ଏହାସହିତ ଫିଲ୍ମର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ କନ୍ନୁରରେ ସିନେମାର ସୁଟିଂ ଚାଲିଥିବା ବେଳେ କ୍ରୁ ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା। ମୁଖ୍ୟ ଚରିତ୍ରରେ ଥିବା ଆଦା ଶର୍ମାଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେସେଜ ଆସିଥିବା ସେ କହିଛନ୍ତି। ସେପଟେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମକୁ ବିରୋଧ କରିବା ସହିତ, ଏହାକୁ ଜାଣିଶୁଣି କେରଳରେ ସାଂପ୍ରଦାୟିତ ସଦଭାବନା ଭାଙ୍ଗି ଘୃଣା ବିସ୍ତାର କରିବା ପାଇଁ ନିର୍ମାଣ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ସେ ସଂଘ ପରିବାରର ପ୍ରୋପାଗାଣ୍ଡା ବୋଲି କହିଛନ୍ତି। କେରଳର ବିରୋଧୀ ଦଳ ନେତା ଭି.ଡି.  ସତୀଶନ୍ ମଧ୍ୟ ଏହାକୁ ପ୍ରୋପାଗାଣ୍ଡା ବୋଲି କହିବା ସହିତ ସମାଜକୁ ଭାଗଭାଗ କରିବା ପାଇଁ ତିଆରି ହୋଇଛି ବୋଲି ଅଭିଯୋଗ କରିଛନ୍ତି। 

Subscribe

National International State Sports Entertainment