ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। ସେମାନେ ସମସ୍ତେ ଭିନ୍ନ ଭିନ୍ନ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି। ତେବେ ମଜା କଥା ହେଲା, ସେମାନଙ୍କ ମଧ୍ୟରେ ଥିବା ଏଇ ଭିନ୍ନତା ବା ବିବିଧତା ବା ଡାଇଭର୍ସିଟି ହିଁ ସେମାନଙ୍କ ଗ୍ରୁପ୍ର ସବୁଠାରୁ ବଡ଼ ୟୁଏସ୍ପି। ନିଜର ଦକ୍ଷତା ଓ ଅନନ୍ୟ ଶୈଳୀ ବଳରେ ହିପ୍ ହପ୍ ମ୍ୟୁଜିକ୍ ଭଳି ଏକ ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଥିବା ଏଇ ମ୍ୟୁଜିକ୍ ଗ୍ରୁପ୍ଟି ହେଉଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍' (Wild Wild Women)।
୨୦୨୧ ମସିହାର ମହିଳା ଦିବସ ଅବସରରେ ନିଜର ପ୍ରଥମ ସଙ୍ଗୀତ (ଏକ ସିଙ୍ଗଲ୍) 'ଆଇ ଡୁ ଇଟ୍ ଫର୍ ହିପ୍ ହପ୍(I do it for hip hop)' ରିଲିଜ୍ କରିଥିଲା ଏଇ ଗ୍ରୁପ୍। ଏଇ ପ୍ରଥମ ମ୍ୟୁଜିକ୍ ମାଧ୍ୟମରେ ସେମାନେ ଦର୍ଶାଇବାକୁ ଚାହିଁଥିଲେ ନିଜସ୍ୱ ସଂଘର୍ଷ, ସେମାନଙ୍କ ଏକାଠି ହେବାର ଉଦ୍ଦେଶ୍ୟ ତଥା ସେମାନଙ୍କ ସୃଜନ କଳାର ଅର୍ଗାନିକ୍ ନେଚର। ତା' ପରଠାରୁ ଗ୍ରୁପ୍ର ସଦସ୍ୟାମାନେ ଲଗାତର ଏ ଦିଗରେ କାମ କରି ଆସୁଛନ୍ତି। କେତେବେଳେ ମହିଳାମାନଙ୍କ ମାନସିକ ସ୍ଵାସ୍ଥ୍ୟ ତ କେବେ ମହିଳା ସଶକ୍ତିକରଣ ଏଭଳି ବିଭିନ୍ନ ଇସ୍ୟୁକୁ ନେଇ ସେମାନେ ସଙ୍ଗୀତ ସୃଷ୍ଟି କରିଥା'ନ୍ତି। ତେବେ କେମିତି ଆରମ୍ଭ ହୋଇଥିଲା ଏଇ ଗ୍ରୁପ୍ର ଯାତ୍ରା ଆସନ୍ତୁ ଜାଣିବା |
୨୦୨୧ ଆରମ୍ଭ ହୋଇଥାଏ। ମୁମ୍ବାଇର ଅନ୍ଧେରୀ-ଇଷ୍ଟ୍ ଅଞ୍ଚଳରେ ଥିବା ଭାରତ ବନ ପାର୍କରେ ସେଦିନ ସେମାନେ ଏକାଠି ହୋଇଥିଲେ ଏକ 'ସାଇଫର' (ରାପର-rapper, ବ୍ରେକର-breaker ଓ ବିଟ୍ ବକ୍ସର-beatboxer ମାନେ ସ୍ପଣ୍ଟାନିୟସ୍ ମ୍ୟୁଜିକ୍ ତିଆରି ଉଦ୍ଦେଶ୍ୟରେ ଗୋଟିଏ ଜାଗାରେ ଏକାଠି ହେବା) ପାଇଁ। ଏଇ ସାଇଫରକୁ ହ୍ୱାଟ୍ସଆପ୍ ସହାୟତାରେ ଆୟୋଜନ କରାଇବାରେ ସଫଳ ହୋଇପାରିଥିଲେ ରାପର୍ ହ୍ୟାସ୍ଟ୍ୟାଗ୍ ପ୍ରୀତି (ପ୍ରୀତି ଏନ୍. ସୁତାର) ଓ କ୍ରାନ୍ତିନାରୀ(ଅଶ୍ୱିନୀ ହିରେମାଥ୍)। ଆମ ଦେଶରେ ମହିଳା ରାପର୍ଙ୍କୁ ଉପଯୁକ୍ତ ସମର୍ଥନ ଓ ପରିଚୟ ମିଳୁ ନଥିବା ନେଇ ସେମାନଙ୍କ ଅସନ୍ତୋଷ ହିଁ ସେମାନଙ୍କୁ ପ୍ରରୋଚିତ କରିଥିଲା ଏଭଳି ଏକ ଆୟୋଜନ ପାଇଁ। ସେଦିନ ସେଠାରେ ଉପସ୍ଥିତ ଥିଲେ ୧୦ଜଣ ମହିଳା ରାପର୍। ଆଉ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅନୁଭବ ହେଲା ଯେ ସେମାନେ ଏକାଠି କାମ କରିପାରିବେ। ଆଉ ସେଇଠାରୁ ହିଁ ଜନ୍ମ ନେଲା 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍' ହିପ୍ ହପ୍ ଗ୍ରୁପ୍। ବର୍ତ୍ତମାନ ଦେଶର ଏଇ ପ୍ରଥମ ମହିଳା ହିପ୍ ହପ୍ ଗ୍ରୁପ୍ ରେ ଅଛନ୍ତି ୫ ଜଣ ରାପର୍। ସେମାନେ ହେଲେ- ହ୍ୟାସ୍ଟ୍ୟାଗ୍ ପ୍ରୀତି (ପ୍ରୀତି ଏନ୍. ସୁତାର), କ୍ରାନ୍ତିନାରୀ(ଅଶ୍ୱିନୀ ହିରେମାଥ୍), ଏମ୍.ସି. ମହିଳା(ଶ୍ରୁତି ରାଉତ), ଜେ.କ୍ୱିନ୍ (ଜ୍ୟାକ୍ଲିନ୍ ଲୁକାସ) ଓ ପ୍ରତୀକା(ପ୍ରତୀକା ଇ. ପ୍ରଭୁଣେ)। ଏମାନଙ୍କ ଛଡ଼ା ଅନ୍ୟ ଯେଉଁ ସଦସ୍ୟାମାନେ ଏଇ ଗ୍ରୁପ୍ ରେ ଅଛନ୍ତି ସେମାନେ ହେଲେ- ଦୁଇ ଜଣ ବ୍ରେକ୍ ଡ୍ୟାନ୍ସର ଫ୍ଲୋ.ର' (FlowRaw- ଦୀପା ସି°) ଓ ଏମ୍ଜିକେ (MGK- ମୁଗ୍ଧା ଦାଭୋଲକର) ତଥା ଗ୍ରାଫିଟି ଆର୍ଟିଷ୍ଟ୍ ଗୌରୀ ଦାଭୋଲକର, ଯିଏକି ସୋ' ସମୟରେ ଲାଇଭ୍ ଆର୍ଟ୍ ଓ ଗ୍ରାଫିଟି କରିଥାନ୍ତି। ଗତ ଦୁଇ ବର୍ଷ ଭିତରେ ନିଜ ପାଇଁ ଲୋକପ୍ରିୟତା ସାଉଁଟି ପାରିଥିବା 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'ର ସ୍ଥିତି କିନ୍ତୁ ଆରମ୍ଭରୁ ଏଭଳି ନଥିଲା। ପ୍ରଥମେ ପ୍ରଥମେ ତ ଲୋକେ ତାଙ୍କୁ ଆଦୌ ଗୁରୁତ୍ୱର ସହ ଗ୍ରହଣ କରୁ ନଥିଲେ। ଏପରିକି ଅନେକ ସମୟରେ ନିଜ କଳା ପ୍ରଦର୍ଶନ ପାଇଁ ଷ୍ଟେଜ୍ ଯୋଗାଡ଼ କରିବା ବି ମୁସ୍କିଲ ଥିଲା। ବେଳେବେଳେ ଜମାରୁ ଦର୍ଶକ ଆସୁ ନଥିଲେ। ତେବେ ଧୀରେଧୀରେ ସ୍ଥିତି ସୁଧୁରିବା ସହ ଦର୍ଶକ ସେମାନଙ୍କୁ ତଥା ସେମାନଙ୍କ କାମକୁ ପସନ୍ଦ କରିବାରେ ଲାଗିଲେ। ଖାସ୍ କରି ସେମାନଙ୍କ ହାର୍ଡହିଟି° ଲିରିକ୍ସ, ସେମାନଙ୍କ ମ୍ୟୁଜିକ୍ର ସହଜ ଗତିଶୀଳତା ଏବଂ ଗୀତରେ ଏକାଧିକ ଭାଷାର ପ୍ରୟୋଗ ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଲା। ଏବେ ଏଇ ଗ୍ରୁପ୍କୁ ନିଜର ପର୍ଫର୍ମାନ୍ସ ପାଇଁ ଷ୍ଟେଜ୍ ଓ ପ୍ଲାଟ୍ଫର୍ମ ମିଳିବା ଅନେକାଂଶରେ ସହଜ ହୋଇଛି। ସେମାନଙ୍କୁ ଅନେକ ସହରକୁ ମ୍ୟୁଜିକ୍ ଶୋ' ପାଇଁ ଆମନ୍ତ୍ରଣ ମଧ୍ୟ କରାଯାଉଛି। ତଥାପି ସେମାନଙ୍କ ପାଇଁ ବର୍ତ୍ତମାନ ବଡ଼ ଷ୍ଟେଜ୍ କିମ୍ବା ଅଧିକ ଅର୍ଥ ରୋଜଗାର ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହନ୍ତି ଗ୍ରୁପ୍ ମେମ୍ବରମାନେ। ବରଂ ସେମାନେ ଏବେ ମୁଖ୍ୟତଃ ନିଜ ସଙ୍ଗୀତକୁ ଅଧିକରୁ ଅଧିକ ଉନ୍ନତ କରିବା ଦିଗରେ ଦୃଷ୍ଟି ଦେଉଛନ୍ତି। ଆଗକୁ ସେମାନେ ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଏ।