ବଢିଲା ଘରୋଇ ଉଡାଣ ସଂଖ୍ୟା, ତତ୍କାଳ ମଞ୍ଜୁରି ଦେଲେ ଭାରତ ସରକାର
ନୂଆଦିଲ୍ଲୀ:
ବିମାନ ସେବା କମ୍ପାନୀମାନଙ୍କୁ ଉଡାଣ ସଂଖ୍ୟା ବୃଦ୍ଧି ଲାଗି ସରକାର ତତ୍କାଳ ମଞ୍ଜୁରି ପ୍ରଦାନ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବୁଧବାର ଜାରି ଏକ ନିର୍ଦ୍ଦେଶରେ ଦେଶରେ କୋଭିଡ-୧୯ ପୂର୍ବରୁ ଗ୍ରୀଷ୍ମକାଳୀନ ସମୟସାରଣୀର ୬୦ ପ୍ରତିଶତ ଉଡାଣକୁ ଅନୁମତି ଦେଇଥିବା ସୂଚିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ୪୫ ପ୍ରତିଶତ ବିମାନ ଘରୋଇ ଗନ୍ତବ୍ୟରେ ଚଳାଚଳ କରୁଥିଲେ। ଉଡାଣ ସଂଖ୍ୟାରେ ନୂଆ ପରିବର୍ତ୍ତନକୁ ତୁରନ୍ତ ଲାଗୁ କରିବା ଲାଗି ନିର୍ଦ୍ଦେଶରେ କୁହାଯାଇଛି।ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିୟମିତ ଘରୋଇ ପରିଚାଳନାର ବର୍ତ୍ତମାନ ସ୍ଥିତି ଓ ବିମାନ ଯାତ୍ରାର ଚାହିଦାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ କୋଭିଡ-୧୯ ପ୍ରସାର ଯୋଗୁ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବାତିଲ କରିଦିଆଯାଇଥିଲା। ପ୍ରାୟ ୨ ମାସ ପରେ ମେ ୨୫ ତାରିଖରୁ ଦେଶରେ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରୀଷ୍ମକାଳୀନ ସମୟ ସାରଣୀର ମାତ୍ର ୩୩ ପ୍ରତିଶତ ବିମାନ ଯାତ୍ରୀ ସେବା ପ୍ରଦାନ କରୁଥିଲେ। ତେବେ ଚାହିଦା ବୃଦ୍ଧି ଯୋଗୁ ଜୁନ ୨୬ ତାରିଖରୁ ଆଉ ୧୨ ପ୍ରତିଶତ ବିମାନ ଚଳାଚଳ ଲାଗି ଅନୁମତି ମିଳିଥିଲା। ଏଣୁ ୪୫ ପ୍ରତିଶତ ବିମାନ ଘରୋଇ ଗନ୍ତବ୍ୟରେ ସେବା ପ୍ରଦାନ କରୁଥିଲେ ହେଁ ଏହା ପର୍ଯ୍ୟାପ୍ତ ହେଉ ନଥିଲା। ଦେଶରେ ପୁଣି ଘରୋଇ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା କୋଭିଡ ପୂର୍ବ ତୁଳନାରେ ଏକ ତୃତୀୟାଂଶ ବୃଦ୍ଧି ହୋଇଥିଲା। ଗତ ମଙ୍ଗଳବାର ଗୋଟିଏ ଦିନରେ ୧ ହଜାର ୧୨୧ଟି ଉଡାଣରେ ୧ ଲକ୍ଷ ୨୦ ହଜାର ୭୨୫ ଜଣ ଯାତ୍ରୀଙ୍କୁ ପରିବହନ କରାଯାଇଛି। ଏଥିରୁ ଦେଶରେ ବିମାନ ପରିବହନର ଚାହିଦା କେତେମାତ୍ରାରେ ରହିଛି ତାହା ସଜରେ ଅନୁମାନ କରାଯାଇପାରେ।