ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା: ଚଳଚଞ୍ଚଳ ସବୁ ଶୈବପୀଠ
Khabar Odisha:Today-is-holy-Maha-Shivratri-Devotees-throng-Shiva-temples-across-Odisha-to-offer-special-prayer
ଖବର ଓଡିଶା : 18/02/2023

 ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ଆଦି ଶୈବପୀଠରେ ଆଜି ଭୋର ସମୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। 

ଲିଙ୍ଗରାଜ ମନ୍ଦିରରେ ଭୋରୁ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ୩ଟା ୩୦ରୁ ଆରମ୍ଭ ହୋଇଛି ସାହାଣ ମେଲା ଦର୍ଶନ । ପ୍ରଥମେ ଉତ୍ତର ଦ୍ୱାର ଦେଇ ସେବାୟତ ଏବଂ ତାଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ମହାଦୀପ । ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା । ୪ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି ପୋଲିସ । ୫ ଜଣ ଆଡସିନାଲ ଏସପି, ୧୧ ଜଣ ଏସିପି, ୧୯ ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ପୁରୀରେ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ଆୟୋଜନ ହୋଇଥିବା ବେଳେ ଭୋରରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବିଳମ୍ବିତ ରାତି ୧୨ଟା ୩୦ରେ ଲୋକନାଥଙ୍କ ମନ୍ଦିର ଦ୍ୱାର ଖୋଲିବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଭୋର ୪ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

କଟକ ଆଠଗଡର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ୱାର ଫିଟାଯାଇ ମହାସ୍ନାନ କରାଯାଇଥିଲା। ଅପରାହ୍ଣରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗଲାଗି ବେଢା ପରିକ୍ରମା କରାଯିବ।

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବାବାଙ୍କ ଯଥା ରୀତି ପୂଜାଅର୍ଚ୍ଚନା ଆରମ୍ଭ କରାଯାଇଛି। ଜାଗର ଉତ୍ସବ ଓ ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ହୋଇଛି ଆରଡ଼ି ପୀଠ। ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Subscribe

National International State Sports Entertainment