ଭୁବନେଶ୍ୱର, ଡିସେମ୍ବର ୧୫ (ଖବର ଓଡ଼ିଶା) : ପୁରୀ ମନ୍ଦିର ଖୋଲିବାକୁ ନେଇ ତାରିଖ ସ୍ପଷ୍ଟ ହୋଇଥିବା ବେଳେ ରାଜ୍ୟ ଅନ୍ୟ ପ୍ରମୁଖ ମନ୍ଦିର କେବେ ଖୋଲିବ ତାକୁ ନେଇ ସେବାୟତ ମାନେ ସରକାରଙ୍କ ଉପରେ ଚାପ ପକାଇଥିଲେ ।
ସୋମବାର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ସମ୍ମୁଖରେ ସେବାୟତ ମାନେ ପ୍ରତିବାଦ କରି ସମୂହ ଦୀପଦାନ କରିବା ପରେ ଆଜି ଲିଙ୍ଗରାଜ ମନ୍ଦିର କେବେ ଖୋଲିବ ତାହା ସ୍ପଷ୍ଟ ହୋଇଛି । ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅର୍ଥାତ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।
ଏହା ପରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ବାସିନ୍ଦାକୁ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଇପାରିବେ ବୋଲି ବିଏମସି କମିଶନର କରିଛନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ହିଁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ଦର୍ଶନ ବେଳେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦିଆଯିବା ସହ ମନ୍ଦିର ପରିସରରେ ଏକ ସମୟରେ ସର୍ବାଧିକ ୫ଶହ ଲୋକ ରହିପାରିବେ । ଯେଉଁମାନଙ୍କ ପାଖରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ, ସେମାନଙ୍କୁ ହିଁ ଦର୍ଶନ ପାଇଁ ଅନୁମତି ମିଳିବ । ତା’ପୁଣି ଏହି ଟେଷ୍ଟ ୪-୫ ଦିନ ପୂର୍ବରୁ ହୋଇଥିବା ଜରୁରୀ ବୋଲି ଦର୍ଶାଇଛନ୍ତି ବିଏମସି କମିଶନର ।