ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍କାମ ର କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ପରେ ମାଡ୍କାମ କହିଛନ୍ତି, ମାଓ ସଂଗଠନରେ ଆଉ ନୀତିଆଦର୍ଶ ନାହିଁ। ବହୁଦିନ ଧରି ସମାଜର ମୁଖ୍ୟସ୍ରୋତରୁ ସେ ଦୂରରେ ରହିଥିଲେ। ଏବେ ସେ ପରିବାର ସହ ସମୟ ବିତାଇବେ। ମାଓ ସଂଗଠନରେ ସିନିୟରମାନେ ଜୁନିୟର୍ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ମାଓବାଦୀମାନେ ବେଆଇନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଥିବାରୁ ଏହା ତାକୁ ଭଲ ଲାଗିଲାନି ବୋଲି ସେ ମାଓ ସଂଗଠନ ଛାଡିଛନ୍ତି । ଗତ କିଛିଦିନ ତଳେ ପୋଲିସ ସହ ସଂଘର୍ଷରେ ଟପ୍ ମାଓ ନେତା ଦସୁରୁର ମୃତ୍ୟୁ ହୋଇଥିବା ବେଳେ ଆଜି ଦସୁରୁର ମୁଖ୍ୟ ସହଯୋଗୀ ମାଡ଼କାମ୍ ଆତ୍ମସମର୍ପଣ କରିବା ପରେ ମାଓବାଦୀଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନ ସମୟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିବା ପୋଲିସର ମନୋବଳକୁ ବଢ଼ାଇଛି ବୋଲି ଏସ୍ପି କହିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ସମାୟ ମାଡ୍କାମ କେକେବିଏନ୍ ମାଓ ସଂଗଠନର ଡିଭିଜିନାଲ୍ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା। ସେ କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲା। ସମାୟର ନିଜଘର ଛତିଶଗଡ଼ ରାଜ୍ୟର ସୁକ୍ମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଲଗୁଡ଼ା ଗାଁରେ। ସେ ପିଲାଦିନୁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା। ତାକୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେ ପ୍ରଥମେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ସମାୟ ଗତ ୨୦୦୫ ମସିହାରୁ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓ ସଂଗଠନରେ କାର୍ଯ୍ୟ କରୁଥିଲା। କେକେବିଏନ୍ ମାଓ ଡିଭିଜନରେ ସମାୟ ଜଣେ ଟପ୍ କ୍ୟାଡର ଭାବେ କାର୍ଯ୍ୟ କରୁଥିଲା। ସମାୟ ନାମରେ ବୌଦ୍ଧ, କନ୍ଧମାଳ, ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମୋଟ ୧୭ଟି ମାମଲା ଥିବାବେଳେ ତାକୁ ଧରିବା ପାଇଁ ତା’ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳରେ ଦେଖା ଦେଇଥିବା ମାଓ ହିଂସା କାର୍ଯ୍ୟକଳାପରେ ସମାୟ ସମ୍ପୃକ୍ତ ଥିଲା। ସେହିଭଳି ଛତିଶଗଡ଼ର ବିଭିନ୍ନ ଥାନାରେ ମଧ୍ୟ ତା’ ନାଁରେ ୪୦ରୁ ଊର୍ଦ୍ଧ୍ବ ମାମଲା ରହିଛି।
ଅଧିକ ପଢନ୍ତୁ : ନିଟ ପରୀକ୍ଷାରେ ୩ ନକଲି ପରୀକ୍ଷାର୍ଥୀ ଗିରଫ