ପୁରୀ: ବିବାଦ ପରେ ପୁରୀ ଶ୍ରୀମନ୍ଦିରର ଥିବା ଚାରୋଟି ଭକ୍ତ ନିବାସର ଗାଡ଼ି ପାର୍କିଂ ଭଡ଼ାକୁ ହ୍ରାସ କରାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ୧୧ ପୃଷ୍ଠା ସମ୍ବଳିତ ମାର୍ଗଦର୍ଶିକା ଅନୁମୋଦିତ ହୋଇଛି । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ।
ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆହୂତ ପରିଚାଳନା କମିଟି ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ଭକ୍ତ ନିବାସ ପାର୍କିଂ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ୧୧ ପୃଷ୍ଠା ସମ୍ବଳିତ ମାର୍ଗଦର୍ଶିକା ଅନୁମୋଦିତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗଣତିମଣତି କରାଯିବ । ପ୍ରଥମ ଦିନ ଶୁଭ ଅନୁକୂଳ ତିଥି ଦେଖି ଗଣତି ଆରମ୍ଭ ହେବ । ଗଣତିମଣତିବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଯେଉଁଦିନ ଅଧିକ ନୀତି ନ ଥିବା ସେହି ଦିନମାନଙ୍କରେ ଗଣତି କରିବାକୁ ଚେଷ୍ଟା କରାଯିବ । ସେହି ସମୟରେ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ଜାରି ରହିବ । ଶ୍ରଦ୍ଧାଳୁମାନେ ବାହାରକାଠରୁ ଦର୍ଶନ କରିପାରିବେ । ପୂର୍ଣ୍ଣ ଅନୁମୋଦନ ନ ଆସିଥିବାରୁ ଗଣମାଧ୍ୟମକୁ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ଅନୁମତି ପରେ ଦିନ ଘୋଷଣା କରାଯିବ ।
ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କ ନିର୍ମାଣ ସରିଛି । ଶୁଭ ଲଗ୍ନ ଦେଖି ତାହାକୁ ବ୍ୟବହାର କରାଯିବ ।
ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ମାର୍ଗଦର୍ଶିକା ମଧ୍ୟ ଅନୁମୋଦିତ ହୋଇଛି । କେବେ ଖୋଲାଯିବ ତିଥି ଲଗ୍ନ ଦେଖି ସ୍ଥିର କରାଯିବ । ପ୍ରବେଶ ପାଇଁ ୧୦ ଟଙ୍କା ଦେବାକୁ ପଡ଼ିବ । କେବଳ ଛୋଟ ପିଲା ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଶୁଳ୍କ ରହିବ ନାହିଁ । ରାଜସ୍ୱ ବୃଦ୍ଧି ପାଇଁ ନୁହେଁ କେବଳ ରେଗୁଲେସନ ପାଇଁ ୧୦ ଟଙ୍କା ଫି’ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ପୂର୍ବର ମାହାଲ ଆକାରରେ ଦିଆଯାଉଥିଲା ।
ପୁରୀ ଭେଷଜ ମେଡ଼ିକାଲ ଓ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଦୁଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମାତ୍ର ଏଥିପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ବାକି ୩୫ କୋଟି ଟଙ୍କା ସରକାର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତତସମ୍ବନ୍ଧୀୟ ପ୍ରସ୍ତାବ ଅନୁମୋଦିତ ହୋଇଛି । ଭକ୍ତ ନିବାସ ପାର୍କିଂ ଫି ବୃଦ୍ଧିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ପରିଚାଳନା କମିଟି ବୈଠକରେ ୪ଟି ଭକ୍ତ ନିବାସରେ ପାର୍କିଂ ଫି’ ୫୦୦ରୁ ୨୪୦ ଟଙ୍କାକୁ ହ୍ରାସ କରାଯାଇଛି ।