ଭୁବନେଶ୍ୱର: ୨୦୨୬ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଘୋଷଣା ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୬ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗରେ ରେଗୁଲାର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିବେ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅକ୍ଟୋବର ୧୩ରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ । ଏ ନେଇ ସିଏଚ୍ଏସ୍ଇ କଣ୍ଟ୍ରୋଲର୍ ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା ସିଏଚ୍ଏସ୍ଇ ଅଧିନରେ ଆସୁଥିବା ସମସ୍ତ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ।
ଯେଉଁମାନେ ବିଳମ୍ବରେ ଫର୍ମ ପୂରଣ କରିବେ ସେମାନଙ୍କୁ ଅତିରିକ୍ତ ଶୁଳ୍କ ବା ଫାଇନ ଦେବାକୁ ପଡ଼ିବ । ନିର୍ଦ୍ଧାରିତ ଅବଧି ପରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ପୂରଣ କଲେ ୨୦୦ ଟଙ୍କା ଫାଇନ୍ ଦେବେ । ସେହିପରି ଯଦି ଏହି ସମୟରେ ଫର୍ମ ପୂରଣ କରିନାହାଁନ୍ତି ଏବଂ ସେମାନଙ୍କୁ ପୁଣି ନଭେମ୍ବର ୧୭ରୁ ୧୯ ମଧ୍ୟରେ ଫର୍ମ ଭରିବାର ସୁଯୋଗ ମିଳିବ । କିନ୍ତୁ ଏଥିପାଇଁ ୬୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।
ସେହିପରି ଫର୍ମ ପୂରଣ କରିବାରୁ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୬୦୦ଟଙ୍କା, ମାଇଗ୍ରେସନ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଏବଂ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ପୈଠ କରିବେ । ଏହାସହିତ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ନିଜ ବିଷୟ ଅନୁଯାୟୀ ପ୍ରୋଜେକ୍ଟ ୱାର୍କ/ପ୍ରାକ୍ଟିକାଲ୍ ପରୀକ୍ଷା/ ଇଭାଲ୍ୟୁସନ୍ କିମ୍ବା ଇଣ୍ଟରନାଲ୍ ପରୀକ୍ଷା ପାଇଁ ପ୍ରତି ପେପର୍ ପାଇଁ ୪୦ ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ ।