ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ନରେନ୍ଦ୍ର ମୋଦି । ଅଭିଭାଷଣ ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିବା ସହ ଚଳିତ ନିର୍ବାଚନରେ ବିଜେପି ସରକାର ହେବ ବୋଲି ମୋଦି କହିଥିଲେ । ଗତ କାଲି ମୁଁ ଅଯୋଧ୍ୟାରେ ଥିଲି ଏବଂ ରାମ ଲାଲାଙ୍କୁ ଦର୍ଶନ କରି ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଓ ମୋଦି କହିଛନ୍ତି ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ ବରଂ ଏହା ଆପଣମାନଙ୍କ ଭୋଟ୍ ଦ୍ୱାରା ନିର୍ମାଣ ହୋଇଛି । ତେବେ ବିଜେଡିକୁ ଟାର୍ଗେଟ କରିବା ସହ ଜୁନ୍ ୪ରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି ବୋଲି ମୋଦି କହିଛନ୍ତି । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଓ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ ଏବଂ ଏହି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି କହିଛନ୍ତି ।
ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି କିନ୍ତୁ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତା ଓଡିଶାକୁ ଲୁଟି ନେଇଛନ୍ତି । ଓଡ଼ିଶାର ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି , ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଇଁ ପାଣି ନାହିଁ । ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନାହିଁ, ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର ଏବଂ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଲେ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବ । ଏହା ସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ କରାଯିବ, ତେଣୁ ଓଡିଶାରେ ବିଜେପି ସରକାର ହେବା ବହୁତ ଜରୁରୀ । ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି ଏବଂ ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ମୋଦି ନିଜକୁ ଜଗନ୍ନାଥଙ୍କ ପୁଅ କହିବା ସହ ଦିଲ୍ଲୀରେ ବସି ଓଡ଼ିଶା ପାଇଁ ବହୁତ କିଛି କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।
ଏହା ସହ ମୋଦି କହିଥିଲେ, ମୋଦି ଯାହା କହିଛି ତାହା କରିଛି ତେଣୁ ଓଡିଶାରେ ତ୍ବରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି ଏବଂ ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ତ୍ବରିତ ବିକାଶ ହେବ । ଅଭିଭାଷଣ ଶେଷରେ ସଭାରେ ଉପସ୍ଥିତ ଥିବା କର୍ମୀଙ୍କୁ ଅଧିକରୁ ଅଧିକ ଘରକୁ ଯିବାକୁ ପରାମର୍ଶ ଦେବା ସହ ମୋଦି ଜୟ ଜଗନ୍ନାଥ ଜଣାଇଥିବା କହିବାକୁ କହିଥିଲେ ଏବଂ ପ୍ରତିଟି ଘରୁ ଆଶୀର୍ବାଦ ମିଳିବା ଦ୍ୱାରା ମୋଦିଙ୍କ ଶକ୍ତି ବଢ଼ିବ ବୋଲି ମୋଦି କହିଥିଲେ ।
ଅଧିକ ପଢନ୍ତୁ : ମୋଦିଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଜନତା