ପୁରୀ : ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ କରୁଛନ୍ତି ମାନବୀୟ ଲୀଳା। ୨୧ ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ।
ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ମୋଟ ୪୨ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ଏହା ମହାପ୍ରଭୁଙ୍କର ସବୁ ଯାତ୍ରା ମଧ୍ୟରେ ଦୀର୍ଘକାଳୀନ ଯାତ୍ରା। ସେଥିରୁ ୨୧ଦିନ ବାହାର ଚନ୍ଦନ ଯାତ୍ରା ଯେଉଁଥିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ରରେ ଚାପ ଖେଳନ୍ତି। ଏବଂ ଆଉ ୨୧ ଦିନ ମନ୍ଦିର ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ମୋଟ ୪୨ ଦିନ ଚନ୍ଦନ ଯାତ୍ରା ସରିବା ପରେ ତା ପର ଦିନ ମହାପ୍ରଭୂ ୧୦୮ ଗରାରେ ସ୍ନାନ ବେଦୀରେ ସ୍ନାନ କରନ୍ତି।