ରାୟଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ଗତକାଲିଠାରୁ ମାଆଙ୍କ ଝାମୁ ଯାତ୍ରା ବା ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି । ଗତକାଲିଠାରୁ ମାଆଙ୍କ ପାଦ ଆସିବା ପରଠାରୁ ସମ୍ମୁଖ ମଣ୍ଡପରେ ଚଣ୍ଡୀ ପାଠ ଚାଲିଛି । ବ୍ରହ୍ମପୁରର ପ୍ରଖ୍ୟାତ ପଣ୍ଡିତ ନୀଳମାଧବ ତ୍ରିପାଠୀଙ୍କ ଦ୍ବାରା ଆରମ୍ଭ ହୋଇଛି ଚଣ୍ଡୀ ପାଠ। ଏହା ସହ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜା ଚାଲିବ । ମାଆଙ୍କ ପୀଠରେ ଆଜି ଷୋଡ଼ଶ ପୂଜା ବିଧି ଅନୁଯାୟୀ ନିତିକାନ୍ତି ହୋଇଥିବା ବେଳେ , ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିଛି । ଏହି ପରିପ୍ରେକ୍ଷୀରେ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଭକ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଠାରୁ ଆରମ୍ଭ କରି ରହିବା , ପ୍ରସାଦ ସେବନ ସହ ଦର୍ଶନ ପାଇଁ ସମସ୍ତ ପ୍ରକାର ଆୟୋଜନ କରଯାଇଛି । ଆଜି ମାଆଙ୍କର ଦ୍ଵିତୀୟ ଦିନର ପୂଜା କାର୍ଯ୍ୟ ଚାଲିଥିବା ବେଳେ ଆହୁରି ତିନି ଦିନ ପର୍ଯ୍ୟନ୍ତ ମାଆଙ୍କ ପୀଠରେ ଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ଆଜି ବାହୁଡିବେ ପ୍ରଭୁ ଲିଙ୍ଗରାଜ