ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏକ ଷ୍ଟାର ହୋଟେଲ ବିବାହ ମଣ୍ଡପରୁ ଲୁଟ୍ ଘଟଣାରେ ଲୁଟେରାକୁ ଧରିଛି ପୁରୀ ପୋଲିସ । ବଳିଆପଣ୍ଡା ଥାନା ପୋଲିସ ଅଭିଯୁକ୍ତକୁ ଧରିଛି । ଅଭିଯୁକ୍ତ ଜଣକ ହେଲା ରିତେଶ ସିସୋଦିଆ । ତା ଘର ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱରରେ ବିବାହ ମଣ୍ଡପରୁ ଚୋରି କରିବା ପରେ ପୁରୀକୁ ଚାଲି ଯାଇଥିଲା ଲୁଟେରା । ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ବିବାହ ଚାଲିଥିବାବେଳେ ସେଠାରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲା ରିତେଶ । ମାତ୍ର ସେଠାରେ ତାର ସମସ୍ତ ଯୋଜନା ପଣ୍ଡ ହୋଇଯାଇଥିଲା । ସେଠାର ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ତାକୁ ଧରିନେଇ ପୋଲିସ ଜିମା ଦେଇଥିଲେ । ବଳିଆପଣ୍ଡା ଥାନ ପୋଲିସ ଅଭିଯୁକ୍ତ ରିତେଶକୁ ଗିରଫ କରିବା ପରେ ଭୁବନେଶ୍ୱର ଲୁଟ୍ ଘଟଣାରେ ସେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।
ଗତ ଶନିବାର ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଷ୍ଟାର୍ ହୋଟେଲର ସରୋଜ ମିଶ୍ରଙ୍କ ଝିଅଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଡାକ୍ତର ଦମ୍ପତିଙ୍କ ବିବାହରେ ବରଯାତ୍ରୀଙ୍କ ସହିତ ଆସିଥିଲା ଲୁଟେରା । ଖୁଲମଖୁଲା ବୁଲିବା ସହିତ ବର-କନ୍ୟାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲା । ଏହା ପରେ ମଉକା ଦେଖି ମଣ୍ଡପ ନିକଟରେ ଥିବା ସୁନା ଗହଣା ଓ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଖସି ଆସିଥିଲା । ବାହାରେ ଅପେକ୍ଷା କରିଥିବା ସହଯୋଗୀ ସହିତ ଗାଡ଼ି ବସି ଫେରାର ହୋଇଯାଇଥିଲା । ପ୍ରାୟ ୧୦-୧୨ ଲକ୍ଷ ଭିତରେ ସୁନା ଗହଣା ସହିତ ପ୍ରାୟ ନଗଦ ୨ ଲକ୍ଷ ଟଙ୍କା ନେଇଯାଇଥିଲା । ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । କନ୍ୟା କର୍ତ୍ତୃପକ୍ଷ ତୁରନ୍ତ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ ।