ଫୁଲବାଣୀ: କାର୍ଯ୍ୟରେ ଅବହେଳା ପାଇଁ ଏକକାଳୀନ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଧିକାରୀଙ୍କ ସମେତ ଜଣେ ହାବିଲଦାର ଏବଂ ୩ ଜଣ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।
ଡାଙ୍ଗଣାମୁ ଘାଟିରୁ ଜଣେ ବ୍ୟକ୍ତିଙ୍କ ଉଦ୍ଧାର ମାମଲାରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୋଚ୍ଛାପଡ଼ା ଥାନାର ଏଏସ୍ଆଇ ଅଜିତ ବେହେରାଙ୍କ ସମେତ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି । ସେହିପରି ୩ ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଏବଂ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଜଣାପଡ଼ିଛି । ପାଟ୍ରୋଲିଂ ବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସିପି ବଳଭଦ୍ର ଦୀପ କହିଛନ୍ତି ।
ଗତ ସେପ୍ଟେମ୍ବର ୨୬ ତାରିଖ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗୋଚ୍ଛାପଡ଼ା ଥାନା ପୁଲିସ ଡାଙ୍ଗଣାମୁରେ ଚଢାଉ କରିଥିଲା । ଏହା ପରେ ୨୮ ତାରିଖ ଦିନ ଜ୍ୟେଷ୍ଠ ବଣ୍ଡୁକି ନାମକ ବ୍ୟକ୍ତିଙ୍କ ମୃତ ଦେହ ଘାଟି ତଳୁ ଉଦ୍ଧାର କରିଥିଲେ ପରିବାର ଲୋକ । ପୁଲିସ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।