ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି । ତେବେ ନିର୍ବାଚନ ପାଇଁ ଆଜି ଓଡ଼ିଶାରେ ହେବ ହାଇଭୋଲ୍ଟେଜ୍ ପ୍ରଚାର । ଗୋଟିଏ ଦିନରେ ରାଜ୍ୟରେ ଦୁଇ ଜାତୀୟ ଦଳର ହେଭିୱେଟ୍ ନେତା କରିବେ କ୍ୟାମ୍ପେନ୍ । ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର ପାଇଁ ଓଡ଼ିଶା ଆସୁଥିବାବେଳେ ରାହୁଲ ଗାନ୍ଧୀଙ୍କର ମଧ୍ୟ ରାଜ୍ୟରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ନିକଟ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବା ପରେ ଦଳୀୟ ନେତାଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେବେ ନଡ୍ଡା । ସେପଟେ ରାହୁଲ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ । ଏହି ଦୁଇ ହେଭିୱେଟ୍ଙ୍କ ଗସ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଉଥିବା ବେଳେ ଏହି ଦୁଇ ହେଭିୱେଟ୍ଙ୍କ ପ୍ରଚାର ରାଜ୍ୟ ରାଜନୀତି ପାଣିପାଗକୁ ଆହୁରି ଉଷ୍ମ କରିବ ବୋଲି ଆକଳନ କରୁଛନ୍ତି ରାଜନୀତିକ ସମୀକ୍ଷକ ।
ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବେ । ବିମାନବନ୍ଦରରୁ ସେ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ଅପରାହ୍ନ ସାଢ଼େ ୫ଟାରେ ନଡ୍ଡା ବ୍ରହ୍ମପୁରର ଆମ୍ୱପୁଆ ଠାରେ ଏକ ସାଧାରଣସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟା ୬ଟା ୪୫ରେ ସେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ । ବ୍ରହ୍ମପୁରରେ ରାତ୍ରି ରହଣି କରି ଆସନ୍ତାକାଲି ସକାଳେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଦିନ ୧୧ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଓ ସେଠାରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ ଏବଂ ସାଲେପୁର କୁଳିଆଠାରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ରାହୁଲ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ : ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର