ପୁରୀ ସହରରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର । କଥା କଥା କେ ଫୁଟୁଛି ଗୁଳି ଆଉ ବନ୍ଧୁକ ଦେଖାଇ ଅପରାଧୀମାନେ ବିଭିନ୍ନ ଅପରାଧ କରିଚାଲିଛନ୍ତି । ଅପରାଧୀଙ୍କୁ ପୋଲିସ ଗିରଫ କରି ବନ୍ଧୁକ ଜବତ କରୁଥିବାବେଳେ ବନ୍ଧୁକ କେଉଁଠାରୁ ଆସୁଛି ,କିଏ ଚୋରା ବନ୍ଧୁକ କାରବାର କରୁଛି, ଏହା ପଛରେ କିଏ ଅଛି ?
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଚୋରା ବନ୍ଧୁକ କାରବାର ଉପରେ ପୋଲିସ କଡ଼ା ପଦକ୍ଷେପ ନ ନେଲେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି । ତେବେ ପୁରୀ ସହର ଏବେ ଚୋରା ବନ୍ଧୁକର ପେଣ୍ଠସ୍ଥଳୀ ସାଜିଛି । ଅପରାଧି ମାନେ ବନ୍ଧୁକ ଦେଖାଇ ବିଭିନ୍ନ ଅପରାଧ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପୋଲିସ ଅପରାଧୀଙ୍କୁ ଧରି ବନ୍ଧୁକ ସିଜ୍ କରାଯାଉଥିଲା ବି ପୁଣି ପୁରୀ ସହରରେ ବାହାରୁଚି ଚୋରା ବନ୍ଧୁକ । କେଉଁଠୁ ଆସୁଛି ଏ ବନ୍ଧୁକ , କିଏ ଯୋଗାଉଛି ଅପରାଧୀ ମାନଙ୍କୁ ବନ୍ଧୁକ , ଆଉ କେଉଁ ମାନେ ଏହି ବନ୍ଧୁକ କାରବାରରେ ଲିପ୍ତ ଅଛନ୍ତି । ଯଦି ଏ ଦିଗରେ ପୋଲିସ ଦୃଷ୍ଟି ନ ଦିଅ ତେବେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି ।
ତେବେ ପୁରୀ ପୋଲିସ ସୂଚନା ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ୧୫ରୁ ଅଧିକ ଚୋରା ବନ୍ଧୁକ ବିଭିନ୍ନ ଅପରାଧିଙ୍କ ଠାରୁ ଜବତ କରିଛି । ସେପଟେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଜିଲ୍ଲାରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସ୍ଥାନୀୟ ଥାନାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୮୦ ପ୍ରତିଶତ ବନ୍ଧୁକ ଥାନାକୁ ଆସିଛି । ଜିଲ୍ଲାରେ ମୋଟ ୬୬୮ଟି ଲାଇସେନ୍ସ ବନ୍ଧୁକ ରହିଥିବା ବେଳେ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ୫୬୪ଟି ବନ୍ଧୁକ ଥାନାକୁ ଆସିଛି । ୪୭ଟି ବନ୍ଧୁକକୁ ବିଭିନ୍ନ ସିକ୍କ୍ୟୁରିଟ ସର୍ଭିସ୍, କ୍ରୀଡାବିତ୍ ଓ ଜୀବନକୁ ବିପଦ ଥିବା ବ୍ୟକ୍ତି ବିଶେଷଙ୍କୁ ପାଖରେ ରଖିବା ପାଇଁ ଅନୁମତି ଦିଆଯାଇଛି । ତେବେ ଆହୁରି ୫୭ଟି ଲାଇସେନ୍ସ ବନ୍ଧୁକ ଥାନାକୁ ଆସି ନଥିବା ବେଳେ ଯଥା ଶୀଘ୍ର ସେମାନେ ଥାନାରେ ବନ୍ଧୁକ ହସ୍ତାନ୍ତର କରିବା ନିମନ୍ତେ ନୋଟିସ ଦିଆଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ତେବେ ଚୋରା ବନ୍ଧୁକ କାରବାର ଉପରେ ପୋଲିସର ନଜର ଥିବାବେଳେ ସୂଚନା ମିଳିବା ପରେ ଏ ଦିଗରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି ।
ଅଧିକ ପଢନ୍ତୁ : ଜଳିଗଲା ଯାତ୍ରୀବାହୀ ବସ୍