ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ପ୍ରକୃତିର ସ୍ମୃତି ସାଉଁଟିବାକୁ ଯାଇଥିବା ନିରୀହ ପର୍ଯ୍ୟଟକମାନେ ଶେଷରେ ସ୍ମୃତି ହୋଇ ଫେରିବେ । ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଓଡ଼ିଶାରେ ପହଁଚିବ । ଏ ନେଇ ତାଙ୍କ ବଡ଼ଭାଇ ସୂଚନା ଦେଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ପ୍ରଶାନ୍ତଙ୍କର ଶବ ବ୍ୟବଚ୍ଛେଦ ଶେଷ ହୋଇଛି । ଆଜି ଅପରାହ୍ନ ୨ଟାରେ ପ୍ରଶାନ୍ତଙ୍କ ମୃତ ଦେହକୁ ଏୟାରଲିଫ୍ଟ କରାଯିବ ଏବଂ ଅପରାହ୍ନ ୪ଟାରେ ଭୁବନେଶ୍ଵରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷରେ କଶ୍ମୀରେ ମୃତକଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଆଜି ପହଲଗାମର ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୮ରେ ପହଁଚିଛି ।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ ପ୍ରଶାନ୍ତ କୁମାର ଶତପଥୀ । ସେ ବାଲେଶ୍ୱର ସିପେଟରେ ଆକାଣ୍ଟାଣ୍ଟ୍ ଭାବେ କାମ କରନ୍ତି । ଗତକାଲି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କର ମୃତ ହୋଇଛି ।
ଆତଙ୍କବାଦୀଙ୍କ ଆକ୍ରମଣ ନେଇ ପ୍ରିୟଦର୍ଶିନୀ ଗଣମାଧ୍ୟମକୁ କହିଛନ୍ତି, ଅପରାହ୍ନ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ସାଢେ ୧୨ଟାରେ ଆମେ ଉପରକୁ ଯାଇଥିଲୁ। ସେଠାରେ ଆମ ମା-ପୁଅର ରୋପ ଓ୍ଵେ ସରି ସାରିଥିଲା। ସ୍ଵାମୀ ନିଜର ରୋପଓ୍ଵେ ଜଷ୍ଟ ସାରି ତଳକୁ ଓହ୍ଲାଉଥିଲେ ଏବଂ ଆମେ ତଳକୁ ଆସୁଥିଲୁ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କର ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ।