ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ସଦର ଆସନରୁ ବିଜୟୀ ହେବା ପରେ ଆଜି ପ୍ରଥମଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଶ୍ରୀ ମାଝି ଆସୁଥିବାରୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି କେନ୍ଦୁଝର ଜିଲ୍ଲା ଘଟଗାଁ ହାଇସ୍କୁଲ ପଡିଆରେ ସକାଳ ୧୦.୨୫ରେ ଅବତରଣ କରିବେ ଏବଂ ମା ତାରିଣୀ ମନ୍ଦିର ପର୍ୟ୍ୟନ୍ତ ଯିବେ । ଏହାସହ ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ୧୨ ଟା ୪୫ରେ ପୁଣି ହେଲିକପ୍ଟରରେ ଯାତ୍ରା କରିବେ । ଏବଂ ରିଜର୍ଭ ପୁଲିସ ପଡିଆରେ ଅବତରଣ କରିବା ପରେ ସର୍କିଟ ହାଉସରେ ବିଶ୍ରାମ ନେବେ । ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ୩ଟା ୧୦ରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ପୂଜା କରିବେ ।
ଆସନ୍ତାକାଲି ସକାଳ ୧୦ଟା ୩୦ରେ ହେଲିକପ୍ଟର ରରେ ନିଜ ଗ୍ରାମ ରାଇକଳା ଯିବେ । ଦିନ ୧୧ଟାରେ ରାଇକଳାରୁ ଏକ ରୋଡ୍ ସୋ'ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ । ଝୁମ୍ପୁରା ବ୍ଲକ୍ ଦୁର୍ଗା ପଡ଼ିଆଠାରେ ଜନସମାବେଶକୁ ସମ୍ବୋଧୃତ କରିବେ । ଅପରାହ୍ଣ ୨ଟା ୪୫ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମରେ ପହଞ୍ଚିବା ପରେ ନିଜ ଘରେ ମଧ୍ୟାହ୍ନଭୋଜନ କରିବେ । ରାଇକଳାରେ ଲୋକଙ୍କ ସହ ଭାବ ବିନିମୟ କରିବା ପରେ ଅପରାହ୍ଣ ୫ ଟାରେ ଭୁବନେଶ୍ବର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ଗାଁପୁଅ ନିଜ ଜନ୍ମ ମାଟିକୁ ଆସୁଥିବା ଖବର ପାଇ ଗାଁ ଲୋକମାନେ ଏକାଠି ହୋଇ ଗାଁକୁ ସଫା କରିବା ସହିତ ଗାଁ ରାସ୍ତା କାମରେ ଲାଗି ପଡିଛନ୍ତି । ତାହା ପୁଣି ନିଜେ ଶ୍ରମଦାନ କରି । ଆଉ ଆଶା ରଖିଛନ୍ତି ଗାଁ ପୁଅ ଗାଁ ପାଇଁ କିଛି କରିବ ବୋଲି ।