ପୁରୀରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ-୨୦୨୫(GELS 2025)କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ଥାନ ଶକ୍ତି ମନ୍ତ୍ରୀ ହୀରାଲଲ ନାଗର, ଦିଲ୍ଲୀ ଶକ୍ତି ମନ୍ତ୍ରୀ ଆଶିଷ ସୁଡ, ରାଜ୍ୟ ସରକାରଙ୍କ ଶକ୍ତି ସଚିବ ବିଶାଲ ଦେବ, ଗ୍ଲୋବାଲ ଲିଡ ବରିଷ୍ଠ ଉପଦେଷ୍ଟା ଡୋମିନିକ ମୋଲୋୟ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍ ଏନର୍ଜି ରାଜ୍ୟ ଭାବେ ଉଭା ହେବ । ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କେବଳ ଶକ୍ତି ପାଇଁ ୭୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। ରାଜ୍ୟରେ ପବନ ଓ ସୌର ଶକ୍ତିରୁ ଉତ୍ପାଦନ ଓ ଆବଣ୍ଟନ ପାଇଁ କାର୍ଯ୍ୟ କରାଯାଉଛି। ଓଡ଼ିଶାକୁ ଅକ୍ଷୟ ଶକ୍ତିର ହବ୍ କରିବା ପାଇଁ ଏକ ଖସଡା ପ୍ରସ୍ତୁତ ହୋଇଛି। ସୋଲାର୍ ପ୍ୟାନେଲ ଲଗାଇ ଶକ୍ତି ଉତ୍ପାଦନ କିଭଳି ହେବ। ଗ୍ରୀନ୍ ଏନର୍ଜି ଉତ୍ପାଦନରେ ତାମିଲନାଡୁ ଓ ଗୁଜୁରାଟ ପରେ ତୃତୀୟ ସ୍ଥାନରେ ରହିବ ଓଡ଼ିଶା। ଏଠାରେ ବିସ୍ତୀର୍ଣ୍ଣ ବେଳାଭୂମି ଥିବାରୁ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଉତ୍ପାଦନ ହୋଇପାରିବ। ଗୋପାଳପୁର ଓ ପାରାଦୀପ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନର ହବ୍ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୪ ପୂର୍ବରୁ, ସାରା ଦେଶରେ ଘରୋଇ ଗ୍ରାହକ ଏବଂ ଶିଳ୍ପକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଏକ ଚ୍ୟାଲେଞ୍ଜ ଥିଲା । ଘରୋଇ ଚାହିଦା ପୂରଣ କରିବା ପାଇଁ ବିଦ୍ୟୁତ୍ ଉତ୍ପାଦନ ଯଥେଷ୍ଟ ନଥିଲା । ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଘଟଣା ଥିଲା । ବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଦେଶର ଶିଳ୍ପ ଏବଂ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରୁଥିଲା। କିନ୍ତୁ, ଗତ ଦଶନ୍ଧିରେ ଏସବୁରେ ଉନ୍ନତି ଆସିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଶକ୍ତି ମନ୍ତ୍ରଣାଳୟର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ଦ୍ଧିତ ଚାହିଦା, ଭିତ୍ତିଭୂମି ବିକାଶ ଏବଂ ପାରମ୍ପରିକ ଏବଂ ନବୀକରଣୀୟ ଶକ୍ତି ଉତ୍ସ ପାଇଁ ଦୃଢ଼ ନୀତିଗତ ସମର୍ଥନ ଦ୍ୱାରା ଭାରତର ଶକ୍ତି କ୍ଷେତ୍ର ଗତ ୧୧ ବର୍ଷରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି।
ଯେକୌଣସି ଦେଶ, ରାଜ୍ୟ କିମ୍ବା ସମାଜର ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ। ବିଦ୍ୟୁତ୍ ଉତ୍ପାଦ ସହିତ, ବିଦ୍ୟୁତ୍ ଆବଣ୍ଟନ ପାଇଁ ଭିତ୍ତିଭୂମି ଗଠନ ମଧ୍ୟ ଆବଶ୍ୟକ। ବର୍ତ୍ତମାନ, ତାପଜ ଉତ୍ସରୁ ଭାରତର ବିଦ୍ୟୁତ୍ ଉତ୍ପାଦନ ମାତ୍ର ୫୧ ପ୍ରତିଶତ, ଯାହା ଆଗାମୀ କିଛି ଦିନ ମଧ୍ୟରେ ଆହୁରି ହ୍ରାସ ପାଇବ। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସ୍ଥାୟୀ ଭାବରେ ଆଗକୁ ବଢ଼ିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଆମ ସରକାର ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିସନ ହାସଲ କରିବା ପାଇଁ ଏକ ଦୀର୍ଘକାଳୀନ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏହି ଦାୟିତ୍ବକୁ ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡିଶାର ଶିଳ୍ପ ନୀତିରେ ଶକ୍ତି ଉତ୍ପାଦନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶେଷକରି ନବୀକରଣୀୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଏହାକୁ ଏକ ଘରୋଇ ଶିଳ୍ପ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କାର୍ଯ୍ୟକ୍ରମରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ନବୀକରଣୀୟ ଶକ୍ତିରେ ଓଡ଼ିଶାର ପ୍ରଗତି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଜ୍ୟ ପାଇଁ ଦେଢ଼ ଲକ୍ଷ ସୂର୍ଯ୍ୟ ଘର ଅନୁମୋଦନ ଘୋଷଣା କରିଥିଲେ। ଯାହାଫଳରେ ରାଜ୍ୟର ସାତ ଆଠ ଲକ୍ଷ ଲୋକ ଉପକୃତ ହେବେ।